ନୂଆଦିଲ୍ଲୀ: ପ୍ରଦୂଷଣକୁ ସୀମାପାର ପ୍ରସଙ୍ଗ ଭାବେ ବର୍ଣ୍ଣନା କରି ପାକିସ୍ତାନ ଓ ବାଂଲାଦେଶ ଭଳି ପଡ଼ୋଶୀ ଦେଶଗୁଡ଼ିକୁ ଭାରତ ଏ ଦିଗରେ ସକ୍ରିୟ ଓ ମିଳିତ ପଦକ୍ଷେପ ନେବାକୁ ଦୃଢ଼ ଅନୁରୋଧ କରିଛି। ଉତ୍ତର ଭାରତରେ ପ୍ରଦୂଷଣ ବୃଦ୍ଧି ପାଉଥିବା ବେଳେ ରାଜଧାନୀ ନୂଆଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ ବୁଧବାର ଋତୁର 'ଗମ୍ଭୀର' ସର୍ବୋଚ୍ଚ ସ୍ତର ୪୧୮ରେ ପହଞ୍ଚିଛି।
ଆଜରବାଇଜାନରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ସମ୍ମିଳନୀ ସିଓପି-୨୯ରେ ଭୁଟାନ ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବ୍ଗେଙ୍କ ଦ୍ୱାରା ଡକାଯାଇଥିବା ଏହି ବୈଠକରେ ବିଶ୍ୱର ସର୍ବୋଚ୍ଚ କ୍ରାୟୋସ୍ଫିୟର ଜୋନ୍ରେ ଭାଗ ନେଉଥିବା ଆଠଟି ଦେଶର ପ୍ରତିନିଧି ଦଳ ଏବଂ ମନ୍ତ୍ରୀମାନେ ଯୋଗ ଦେଇଥିଲେ। ଏହି ବୈଠକରେ ଭାରତ ଭାରତ-ଗାଙ୍ଗେୟ ସମତଳ ଅଞ୍ଚଳର ବାୟୁ ଗୁଣବତ୍ତାକୁ ପ୍ରଭାବିତ କରୁଥିବା ବାୟୁ ପ୍ରଦୂଷଣକୁ ଏହି ଦେଶମାନଙ୍କ ମଧ୍ୟରେ ପାରସ୍ପରିକ ଆହ୍ୱାନ ଏବଂ ଚାପ ବୋଲି ବର୍ଣ୍ଣନା କରିଥିଲା।
ସୀମାପାର ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ ଦୃଢ଼, ସକ୍ରିୟ ଓ ମିଳିତ ପଦକ୍ଷେପ ନେବାକୁ ସେ ବାକି ଦେଶବିଶେଷ କରି ପାକିସ୍ତାନ ଓ ବାଂଲାଦେଶକୁ ଦୃଢ଼ ଅନୁରୋଧ କରିଛନ୍ତି। ଚଳିତ ମାସ ପ୍ରାରମ୍ଭରେ ଲାହୋରର ବାୟୁଗୁଣବତ୍ତା ବିପଜ୍ଜନକ ସ୍ତରରେ ପହଞ୍ଚିଥିଲା ଏବଂ ପାକିସ୍ତାନ ଏଥିପାଇଁ ଭାରତରୁ ଆସୁଥିବା ବାୟୁକୁ ଦାୟୀ କରିଥିଲା।
ବୈଠକରେ ବୈଜ୍ଞାନିକମାନେ ବରଫ ତରଳିବା ଦ୍ୱାରା ହୋଇଥିବା ଅଭୂତପୂର୍ବ ଅର୍ଥନୈତିକ ଓ ପରିବେଶଗତ କ୍ଷୟକ୍ଷତି ସମ୍ପର୍କରେ ସତର୍କ କରାଇଥିଲେ। ଏଥିରେ ୨୦୨୩ ମସିହାରେ ରେକର୍ଡ ସ୍ତରରେ କ୍ରାୟୋସ୍ଫେରିକ୍ ହ୍ରାସ ଅନ୍ତର୍ଭୁକ୍ତ ଥିଲା। ହିନ୍ଦୁକୁଶ ହିମାଳୟ ଅଞ୍ଚଳକୁ ଏସିଆର ୱାଟର ଟାୱାର କୁହାଯାଏ ଏବଂ ଏହି ଅଞ୍ଚଳ ଏସିଆର ପାଖାପାଖି ଦୁଇ ବିଲିୟନ ଲୋକଙ୍କୁ ସ୍ୱଚ୍ଛ ଜଳ ଯୋଗାଏ।
ଜଳବାୟୁ ପରିବର୍ତ୍ତନ କାରଣରୁ ତାପମାତ୍ରା ବୃଦ୍ଧି ଯୋଗୁଁ ଏଠାରେ ଗ୍ଲେସିୟର ବରଫ ତରଳିବା ତ୍ୱରାନ୍ୱିତ ହୋଇଛି, ଯାହା ଏହି ଅଞ୍ଚଳର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଜଳ, ଖାଦ୍ୟ ଏବଂ ଶକ୍ତି ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିଛି। ପାକିସ୍ତାନ, ନେପାଳ ଏବଂ ବାଂଲାଦେଶର ପ୍ରତିନିଧିମାନେ ମଧ୍ୟ ଏହି ଅଞ୍ଚଳରେ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସୃଷ୍ଟି ହୋଇଥିବା ବିପଦର ମୁକାବିଲା ପାଇଁ ଅନେକ ପଦକ୍ଷେପ ନେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।