ନୂଆଦିଲ୍ଲୀ: ହରିୟାଣାର ହିସାର ଜିଲ୍ଲାର ବାଲସମନ୍ଦ ଗାଁରେ ପାକିସ୍ତାନର ଏକ ହିନ୍ଦୁ ପରିବାର ଭାରତରେ ସ୍ଥାୟୀ ଭାବେ ବସବାସ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ପାକିସ୍ତାନର ସିନ୍ଧ ପ୍ରଦେଶର ୧୫ ଜଣିଆ ଏହି ପରିବାର କହିଛନ୍ତି ଯେ ସେମାନେ ପାକିସ୍ତାନରେ ନିର୍ଯାତନା ଏବଂ ଭେଦଭାବର ସମ୍ମୁଖୀନ ହେଉଛନ୍ତି। ଅକ୍ଟୋବର ପହିଲାରେ ସେମାନଙ୍କ ଫ୍ୟାମିଲି ଭିସାର ଅବଧି ଶେଷ ହୋଇଥିଲେ ମଧ୍ୟ ସେମାନେ ଫେରିବାକୁ ଚାହୁଁନାହାନ୍ତି।
ପାକିସ୍ତାନରେ ସେମାନଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଯାଇଛି, ସେମାନଙ୍କ ପାଖରେ ଖାଦ୍ୟ ରାସନ ନାହିଁ କି ପୋଷାକ କିଣିବା ପାଇଁ ଟଙ୍କା ନାହିଁ ବୋଲି ପରିବାର ଲୋକେ କହିଛନ୍ତି। ମୁଦ୍ରାସ୍ଫୀତି ଚରମ ସୀମାରେ ରହିଛି ଏବଂ ହିନ୍ଦୁ ଭଉଣୀ ଓ ଝିଅମାନଙ୍କ ପ୍ରତି ଦୁର୍ବ୍ୟବହାର କରାଯାଉଛି। ସେମାନେ କହନ୍ତି ଯେ ହିନ୍ଦୁ ପିଲାମାନଙ୍କୁ ସ୍କୁଲରେ କୁରାନ ପଢିବାକୁ ବାଧ୍ୟ କରାଯାଏ, ଯାହା ଧାର୍ମିକ ସ୍ୱାଧୀନତାର ଉଲ୍ଲଂଘନ। ଗତ ଅଢ଼େଇ ମାସ ହେବ ଏହି ପରିବାର ବାଲସମନ୍ଦ ଗାଁରେ ରହୁଛନ୍ତି। ଭିସା ଅବଧି ସରିବା ପରେ ମଧ୍ୟ ଯଦି ଏହି ଲୋକମାନେ ଗାଁରେ ରୁହନ୍ତି ତେବେ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ବାଲସମନ୍ଦ ସରପଞ୍ଚ ପ୍ରତିନିଧି କହିଛନ୍ତି। ହିସାର ଆରକ୍ଷୀ ଅଧୀକ୍ଷକ ଶଶାଙ୍କ କୁମାର ସାୱନ କହିଛନ୍ତି ଯେ ଏହି ମାମଲା ତାଙ୍କ ନଜରକୁ ଆସିଛି ଏବଂ ତଦନ୍ତ ପରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବାଲସମନ୍ଦ ସରପଞ୍ଚ ପ୍ରତିନିଧି କହିଛନ୍ତି ଯେ ଭିସା ଅବଧି ସରିବା ପରେ ମଧ୍ୟ ଏହି ଲୋକମାନେ ଗାଁରେ ରହିଲେ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ। ଓକିଲ ବଜରଙ୍ଗ କହିଛନ୍ତି ଯେ ପାକିସ୍ତାନୀ ଗୁପ୍ତଚରମାନେ ପୂର୍ବରୁ ମଧ୍ୟ ଦେଶରେ ଧରାପଡ଼ିଛନ୍ତି, ଭବିଷ୍ୟତରେ ସେମାନେ ନିଖୋଜ ହୋଇ କୌଣସି ଦେଶ ବିରୋଧୀ କାର୍ଯ୍ୟକଳାପ କରିପାରନ୍ତି।
ପରିବାରକୁ ସାହାଯ୍ୟ କରୁଥିବା ବାଲସମନ୍ଦର ଶମସେର କହିଛନ୍ତି ଯେ ଏହି ଲୋକମାନେ ଶ୍ରମିକ ଭାବେ କାମ କରି ଏଠାରେ ରହୁଛନ୍ତି ଏବଂ ଭିସାର ଅବଧି ଶେଷ ହେବା ପୂର୍ବରୁ ଏସପି ଅଫିସରେ ମଧ୍ୟ ଆବେଦନ କରିଛନ୍ତି। ପରିବାରକୁ ସାହାଯ୍ୟ କରିବା ପାଇଁ ଶମଶେର ଜିଲ୍ଲାପାଳ ଟିନା ଡାବିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଦିଲ୍ଲୀରେ ରହୁଥିବା ଦୟାଲ ଦାସଙ୍କ ଜରିଆରେ ଏହି ପରିବାରର ସଦସ୍ୟମାନେ ଭାରତ ଆସିଥିଲେ ଏବଂ ଏବେ ସେମାନେ ଭାରତରେ ବସବାସ କରିବାକୁ ଚାହୁଁଛନ୍ତି।
ଅଧିକ ପଢ଼ନ୍ତୁ: ଆମେରିକାର ନ୍ୟାସନାଲ ଇଣ୍ଟେଲିଜେନ୍ସର ନୂଆ ନିର୍ଦ୍ଦେଶକ