ନୂଆଦିଲ୍ଲୀ: ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରେଡ୍ ଫେୟାର (ଆଇଆଇଟିଏଫଫ୍) ୨୦୨୪ ଆଜିଠାରୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ପ୍ରଗତି ମଇଦାନରେ ଅନୁଷ୍ଠିତ ହେବ। ଏହି ବାଣିଜ୍ୟ ମେଳାରେ ଦୈନିକ ପ୍ରାୟ ୬୦,୦୦୦, ସପ୍ତାହାନ୍ତ ଓ ଛୁଟି ଦିନରେ ଦୈନିକ ପ୍ରାୟ ଦେଢ଼ ଲକ୍ଷ ଲୋକ ଯୋଗ ଦେବେ ବୋଲି ଆଶା କରାଯାଉଛି।
ବାଣିଜ୍ୟ ମେଳା ଯୋଗୁଁ ମଥୁରା ରୋଡ୍, ଭୈରନ ମାର୍ଗ, ରିଙ୍ଗରୋଡ୍, ଶେରଶାହା ରୋଡ୍ ଓ ପୁରୁଣା କିଲା ରୋଡ୍ରେ ଟ୍ରାଫିକ୍ ଜାମ୍ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ପୁଲିସ ପକ୍ଷରୁ ଏକ ଆଡଭାଇଜରୀ (ଦିଲ୍ଲୀ ଟ୍ରାଫିକ୍ ପୁଲିସ ଆଡଭାଇଜରୀ) ଜାରି କରାଯାଇଛି, ଯାହାଦ୍ୱାରା ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।
ଟ୍ରାଫିକ ଅଧିକାରୀଙ୍କ କହିବାନୁଯାୟୀ, ପ୍ରଗତି ମଇଦାନ ଆଖପାଖରେ ଟ୍ରାଫିକ ପରିଚାଳନାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ମଥୁରା ରୋଡ୍ ଏବଂ ଭୈରନ ମାର୍ଗରେ କୌଣସି ସ୍ଥାନରେ କୌଣସି ଯାନବାହନ ଅଟକିବା କିମ୍ବା ପାର୍କିଂ କରିବାକୁ ଅନୁମତି ଦିଆଯିବ ନାହିଁ।
ଶେରଶାହା ରୋଡ, ପୁରୁଣା କିଲା ରୋଡ, ଭଗବାନ ଦାସ ରୋଡ ଓ ତିଲକ ମାର୍ଗରେ ଲୋକଙ୍କ ଗାଡି ପାର୍କିଂ କରିବାକୁ ଅନୁମତି ଦିଆଯିବ ନାହିଁ। ଏହି ରାସ୍ତାରେ ପାର୍କିଂ ହେଉଥିବା ଗାଡିଗୁଡ଼ିକୁ ହଟାଇ ଦିଆଯିବ ଏବଂ ଅନୁପଯୁକ୍ତ ପାର୍କିଂ ଏବଂ ଆଇନଗତ ନିର୍ଦ୍ଦେଶ ପାଳନ ନକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏତଦ୍ ବ୍ୟତୀତ ଏୟାରପୋର୍ଟ, ରେଳ ଷ୍ଟେସନ, ଆଇଏସବିଟି ବସଷ୍ଟାଣ୍ଡ କିମ୍ବା ହସ୍ପିଟାଲକୁ ଯିବାକୁ ଥିବା ଲୋକଙ୍କୁ ଅଧିକ ସମୟ ନେବାକୁ ଟ୍ରାଫିକ ପୁଲିସ ଅନୁରୋଧ କରିଛି। ନଚେତ୍ ସେମାନଙ୍କୁ ସେଠାରେ ପହଞ୍ଚିବାରେ ଅସୁବିଧା ହୋଇପାରେ। ଏହାବ୍ୟତୀତ ମେଟ୍ରୋ ଓ ଡିଟିସି ବସ୍ ଭଳି ଜନସେବା ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି।
ନଭେମ୍ବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ମେଳାରେ କେବଳ ବ୍ୟବସାୟୀଙ୍କୁ ପ୍ରବେଶ ଅନୁମତି ମିଳିବ। ନଭେମ୍ବର ୧୯ରୁ ୨୭ ତାରିଖ ପର୍ଯ୍ୟନ୍ତ ସକାଳ ସାଢ଼େ ୯ଟାରୁ ସନ୍ଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ ଏହି ବାଣିଜ୍ୟ ମେଳା ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ।
ପ୍ରଗତି ମଇଦାନରେ ପହଞ୍ଚିବା ପାଇଁ ସର୍ବସାଧାରଣ ପରିବହନ ବ୍ୟବହାର କରିବାକୁ ଟ୍ରାଫିକ୍ ପୁଲିସ ଲୋକଙ୍କୁ ଅନୁରୋଧ କରିଛି। ମେଟ୍ରୋରେ ଆସୁଥିବା ଲୋକମାନେ ସୁପ୍ରିମକୋର୍ଟ ମେଟ୍ରୋ ଷ୍ଟେସନରୁ ଓହ୍ଲାଇ ୧୦ ନମ୍ବର ଗେଟ୍ ଦେଇ ଆଇଟିପିଓରେ ପ୍ରବେଶ କରିପାରିବେ କିମ୍ବା ଗେଟ୍ ୬ ଓ ୪ର ପ୍ରବେଶ ଦ୍ୱାର ଦେଇ ଆସିପାରିବେ।
ମଣ୍ଡି ହାଉସ୍ ମେଟ୍ରୋ ଷ୍ଟେସନରେ ଓହ୍ଲାଇ ଚାଲି ଚାଲି ସେଠାରେ ପହଞ୍ଚିପାରିବେ। ଦିଲ୍ଲୀ କିମ୍ବା ଏନସିଆରରୁ ଆସୁଥିବା ଏବଂ ଡିଟିସି ବସ୍ ବ୍ୟବହାର କରୁଥିବା ଲୋକମାନେ ମଥୁରା ରୋଡ୍ ଏବଂ ଭୈରନ୍ ମାର୍ଗରେ ଥିବା ବସ୍ ଷ୍ଟାଣ୍ଡରେ ଓହ୍ଲାଇପାରିବେ।
ଆଜିର ଖବର: ୨୫୦ ଟଙ୍କାରୁ କମ୍ ଖର୍ଚ୍ଚରେ ଅସୀମିତ ଡାଟା