ନୂଆଦିଲ୍ଲୀ:ଭାରତର ନୂତନ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ନିଜର ଦାୟିତ୍ୱ ସମ୍ଭାଳିବା ପରଠୁ ଲଗାତାର ନୂତନ ବ୍ୟବସ୍ଥା ଲାଗୁ କରିବାକୁ ଆଦେଶ ଦେଉଛନ୍ତି । ଏକ ନୂତନ ଆଦେଶରେ ୧୬ ପୀଠକୁ ନୂତନ ମାମଲାର ଆବଣ୍ଟନ ପାଇଁ ଏକ ନୂଆ ରୋଷ୍ଟର ଜାରି କରିଛନ୍ତି । ଏଥିସହ ଏହି ନିର୍ଣ୍ଣୟ ନିଆଯାଇଛି ଯେ, ପ୍ରଧାନ ବିଚାରପତି ଓ ଦୁଇ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ପତ୍ର ଯାଚିକା ଓ ଜନସ୍ୱାର୍ଥ ମାମଲାର ଶୁଣାଣି କରିବେ । ଏହି ଆଦେଶ ନଭେମ୍ବର ୧୧ ତାରିଖରୁ ଲାଗୁ ହୋଇ ସାରିଛି ।
ନାଗରିକଙ୍କ ଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଲେଖା ହୋଇଥିବା ପତ୍ରରୁ ଉତ୍ପନ ନୂତନ ଯାଚିକା ଓ ନୂତନ ଜନସ୍ୱାର୍ଥ ମାମଲାର ଶୁଣାଣି ପ୍ରଧାନ ବିଚାରପତି ଓ ଦୁଇ ବରିଷ୍ଠ ବିଚାରପତି ବି ଆର ଗବଇ ଓ ବିଚାରପତି ସୂର୍ଯ୍ୟକାନ୍ତଙ୍କ ପୀଠ କରିବେ । ଏହା ବାଦ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଚାର କରିବେ, ଯାହା ସାମାଜିକ ନ୍ୟାୟ ସଂପର୍କିତ ମାମଲା, ରାଷ୍ଟ୍ରପତି, ଉପ ରାଷ୍ଟ୍ରପତିଙ୍କ ନିର୍ବାଚନ ସଂପର୍କିତ ବିବାଦ, ସାଂସଦ ଓ ବିଧାୟକଙ୍କ ନିର୍ବାଚନ ସଂପର୍କିତ ଅନ୍ୟ ମାମଲା ଆଦି ରହିଛି । ବିଚାରପତି ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ନିର୍ବାଚନ ସଂପର୍କିତ ଯାଚିକା ଉପରେ ଶୁଣାଣି କରିବେ ।
ପୂର୍ବତନ ପ୍ରଧାନ ବିଚାରପତି ୟୁୟୁ ଲଳିତ ସବୁ ପୀଠକୁ ଜନସ୍ୱାର୍ଥ ମାମଲା ଆବଣ୍ଟନ କରୁଥିଲେ । ମାତ୍ର ପୂର୍ବତନ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ ଏହି ପ୍ରଥାକୁ ବନ୍ଦ କରିଥିଲେ । ଏବେ ସିଜେଆଇ ଖନ୍ନା ସେହି ନିୟମ ଲାଗୁ କରିଛନ୍ତି । ସେହି ଆଧାରରେ ୧୬ ବରିଷ୍ଠ ବିଚାରପତିଙ୍କୁ ମାମଲା ଆବଣ୍ଟନ କରାଯାଇଛି ଯେ, ଯେଉଁମାନେ ବିଭିନ୍ନ ପୀଠର ଅଧ୍ୟକ୍ଷତା କରିବେ ।