ଭୁବନେଶ୍ୱର: ରାଜ୍ୟ ସରକାର ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ନାଁକୁ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏହାର ନାମ ବଦଳାଇ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ରେ ନାମିତ କରାଯିବ । ଏ ନେଇ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି ।
ରାଜ୍ୟ ସରକାର ପୁନର୍ବାର ପଲ୍ଲୀ ସଭାକୁ ଗୁରୁତ୍ୱ ଦେଇଛନ୍ତି । ଲୋକମାନଙ୍କ ଆଭିମୁଖ୍ୟକୁ ନେଇ ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ବଢ଼ାଇବାକୁ ଏବଂ ଗ୍ରାମଗୁଡ଼ିକର ବିକାଶ ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି । ସେଥିପାଇଁ ପୂର୍ବ ସରକାର ଆଣିଥିବା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ନାଁକୁ ପରିବର୍ତ୍ତନ କରି ‘ବିକଶିତ ଗାଁ ବିକଶିତ ଓଡ଼ିଶା’ରେ ନାମିତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ନାଏକ । ଏଥିପାଇଁ ଗାଇଡଲାଇନ ମଧ୍ୟ ପ୍ରସ୍ତୁତ କରାଯାଇଛି । ଆଗାମୀ ଦୁଇ ରୁ ଦିନ ମଧ୍ୟରେ ଗାଇଡ଼ଲାଇନ ପ୍ରକାଶ ପାଇବ ।
ମନ୍ତ୍ରୀ କହିଛନ୍ତି ଯେ ଏହି ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ମାଧ୍ୟମରେ ଲୋକମାନେ ପଲ୍ଲୀସଭା ଏବଂ ଗ୍ରାମସଭା କରି ନିଜ ଗାଁର ବିକାଶ ପାଇଁ ପ୍ରସ୍ତାବ ଦେବେ । ଏଥିରେ କ୍ରୀଡ଼ାଠାରୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ଲୋକଙ୍କ ଆଭିମୁଖ୍ୟକୁ ନେଇ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ମନ୍ତ୍ରୀ କହିଛନ୍ତି ଯେ କେବେବି ପଞ୍ଚାୟତ ପ୍ରତିନିଧିମାନେ ଆନ୍ଦୋଳନକୁ ଓହ୍ଲାଇ ନ ଥିଲେ । କିନ୍ତୁ ପୂର୍ବ ସରକାରରେ ସରପଞ୍ଚଠାରୁ ନେଇ ସମିତି ସଭ୍ୟ ଆନ୍ଦୋଳନ କରିଥିଲେ । କୋଭିଡ୍ ସମୟରେ ସରପଞ୍ଚଙ୍କୁ ଜିଲ୍ଲାପାଳର ଅଧିକାର ଦିଆଗଲା । ମାତ୍ର ପରବର୍ତ୍ତୀ ସମୟରେ ହଠାତ୍ କାଢ଼ି ନିଆଗଲା । ତେଣୁ ସେମାନଙ୍କ କ୍ଷମତାକୁ ଫେରାଇ ଆଣିବାକୁ ଏହି ଯୋଜନା ପ୍ରସ୍ତୁତ କରାଯିବ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ବର୍ଷ ୧୫ ଦଫା ଦାବି ନେଇ ରାଜ୍ୟ ସରପଞ୍ଚ ମହାସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା । ପଞ୍ଚାୟତରାଜ ବ୍ୟବସ୍ଥାରେ ୭୩ ତମ ଅଧିନିୟମ ଅନୁଯାୟୀ ସରପଞ୍ଚଙ୍କୁ ସେମାନଙ୍କ କ୍ଷମତା ମୁତାବିକ କାର୍ଯ୍ୟ କରିବାକୁ ଦେବା, ମୌଳିକ ଅଧିକାର ପ୍ରଦାନ, ଗ୍ରାମସଭାକୁ ପୂର୍ବ ପରି ମାନ୍ୟତା ଦେବା, ସମସ୍ତ ଭତ୍ତାଧିକାରୀଙ୍କୁ ୫୦୦ ଟଙ୍କା ବଦଳରେ ୧୦୦୦ ଟଙ୍କା ପ୍ରଦାନ କରାଯିବା ଆଦି ଦାବିରେ ଜୋରଦାର ଆନ୍ଦୋଳନ ହୋଇଥିଲା । ୫ ହଜାରରୁ ଉର୍ଦ୍ଧ୍ୱ ସରପଞ୍ଚ ନବୀନ ସରକାର ବିରୋଧରେ ଗାନ୍ଧୀ ମାର୍ଗରେ ଏକାଠି ହୋଇ ଗର୍ଜି ଥିଲେ ।