ରାଉରକେଲା: ରେଲୱେ ଜେଇଙ୍କ ଘରେ ପଶି କଳାକନା ବୁଲାଇଛନ୍ତି ଲୁଟେରା । ଶନିବାର ସକାଳୁ ସକାଳୁ ଜେଇଙ୍କ ଘରେ ପଶି ତାଙ୍କ ହାତଗୋଡ ବାନ୍ଧି ଓ ପରିବାର ଲୋକଙ୍କୁ ଭୟଭୀତ କରି ଟଙ୍କା ଓ ସୁନାଗହଣ ଲୁଟିଛନ୍ତି ଦୁର୍ବୃତ୍ତ । ରାଉରକେଲା ବନ୍ଧମୁଣ୍ଡା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ରେଲୱେ ଜେଇ ଦିଲୀପ ପଣ୍ଡା ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ଆଜି ସକାଳେ କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଦିଲୀପଙ୍କ ଘରେ ପଶିଥିଲେ। ଘରେ ଥିବା ଟଙ୍କା ପଇସା ଓ ସୁନାଗହଣା ଦେବାକୁ ପରିବାର ଲୋକଙ୍କୁ ଧମକ ଚମକ ଦେଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଦିଲୀପଙ୍କ ହାତଗୋଡ଼ ବାନ୍ଧି ଦେଇ ଗୋଟିଏ ରୁମ୍ରେ ପକାଇ ଦେଇଥିଲେ । ଏହା ପରେ ପରିବାର ସଦସ୍ୟଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିଥିଲେ। ଘରର ଆଲମାରିର ଲକ୍ ଭାଙ୍ଗି ୨ ଲକ୍ଷରୁ ଅଧିକ ଟଙ୍କା ଓ ସୁନାଗହଣା ଲୁଟି ଚମ୍ପଟ ମାରିଥିଲେ। ଏନେଇ ଦିଲୀପ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।