ନୂଆଦିଲ୍ଲୀରେ: ଭାରତୀୟ ବିମାନଗୁଡ଼ିକୁ ବୋମା ଧମକ ଆସିବା ମାମଲା ବଢ଼ି ଚାଲିଛି । ୫ ଦିନ ମଧ୍ୟରେ ଅକ୍ଟୋବର ୧୪ରୁ ଏ ପର୍ଯ୍ୟନ୍ତ ୭୦ରୁ ଅଧିକ ଯାତ୍ରୀବାହୀ ବିମାନକୁ ବୋମାରେ ଉଡାଇ ଦେବାକୁ ଧମକ ମିଳି ସାରିଛି । ତେବେ ଏହି ମିଥ୍ୟା ଧମକ ଯୋଗୁଁ କୋଟି କୋଟି ଟଙ୍କା କ୍ଷତି ସହୁଛନ୍ତି ବିମାନ କମ୍ପାନୀ କର୍ତ୍ତୃପକ୍ଷ । ଯଦି ଦେଖାଯାଏ ଗୋଟିଏ ବିମାନର ଜରୁରୀ ଅବତରଣରେ ପ୍ରାୟ ୩ କୋଟି ଟଙ୍କା କ୍ଷତି ହେଉଛି ।
ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଅକ୍ଟୋବର ୧୪ରେ ଏୟାର ଇଣ୍ଡିଆର ବିମାନ AI119 ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ୧୬ ଘଣ୍ଟାର ଲମ୍ବା ଯାତ୍ରା ପାଇଁ ଏହି ବୋଇଁ ବିମାନ B777ରେ ୧୩୦ ଟନର ଇନ୍ଧନ ଭର୍ତ୍ତି କରାଯାଇଥିଲା । ଉଡ଼ାଣର ମାତ୍ର କିଛି ସମୟ ପରେ ବୋମା ଧମକ ନେଇ ଖବର ଆସିଥିଲା । ଏହା ପରେ ନୂଆ ଦିଲ୍ଲୀରେ ଜରୁରୀ ଅବତରଣ କରାଯାଇଥିଲା । ମାତ୍ର ଏଥିରେ ସମସ୍ୟା ଦେଖାଯାଇଥିଲା ।
ଏହି ବୋଇଂ ବିମାନର ଅବତରଣ ଓଜନ ପ୍ରାୟ ୨୫୦ ଟନ୍ ଥାଏ । ଯାତ୍ରୀ, ଜିନିଷ ପତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ମିଶାଇଲେ ବିମାନର ଓଜନ ୩୪୦-୩୫୦ ଟନ୍ ହୋଇଯାଇଥାଏ । ଦୁଇ ଘଣ୍ଟା ମଧ୍ୟରେ ଜରୁରୀ ଅବତରଣ କରିବା ଅର୍ଥାତ୍ ୧୦୦ ଟନ୍ ଇନ୍ଧନ ବର୍ବାଦ କରିବା । ପ୍ରତି ଟନ୍ କୁ ୧ ଲକ୍ଷ ଟଙ୍କା ହିସାବରେ ୧୦୦ ଟନ୍ ରେ କୋଟିଏ ଟଙ୍କା କ୍ଷତି । ଏହା ସହିତ ୨୦୦ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କର ହୋଟେଲରେ ରହଣି ବ୍ୟବସ୍ଥା , ସେମାନଙ୍କୁ ଖାଇବାକୁ ଦେବା ଏବଂ କ୍ଷତି ପୂରଣ ଦେବାରେ ପ୍ରାୟ ୨ କୋଟି ଖର୍ଚ୍ଚ ହୋଇଥାଏ । ସର୍ବମୋଟରେ କହିବାକୁ ଗଲେ ୩ କୋଟି କ୍ଷତି ହୋଇଛି ।
ଗୁରୁବାର ବିଳମ୍ବିତ ରାତି ଯାଏଁ ୪୦ଟି ବୋମା ଧମକ ଆସିଛି । ଫଳରେ ଏୟାରଲାଇନ୍ସ ଉପରେ ଗଭୀର ପ୍ରଭାବ ପକାଉଛି । ଏୟାରଲାଇନ୍ସ ଅଧିକାରୀଙ୍କ କହିବା ମୁତାବକ ପ୍ରାୟ ୬୦ ରୁ ୮୦ କୋଟି ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡ଼ିଛି ।