ଗଞ୍ଜାମ: ଦୀପାବଳି ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଘଟିଛି ଏକ ବଡ଼ ଅଘଟଣ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳରେ ବାଣ ଭିଡୁଥିବା ସମୟରେ ବିସ୍ଫୋରଣ ହୋଇ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ତୁରନ୍ତ ଗୁରୁତର ଅବସ୍ଥାରେ ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଆଜି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳର ମାଣିକପୁର ଗାଁରେ ଭୟଙ୍କର ବାଣ ବିସ୍ଫୋରଣ ଘଟିଛି । ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣ ଘଟିଥିବା ଜଣାପଡିଛି । ବିସ୍ଫୋରଣରେ ଘରର କାନ୍ଥ ମଧ୍ୟ ଭାଙ୍ଗି ଯାଇଥିଲା। ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ୪ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ, ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି କରିଛନ୍ତି ।