ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ଘରୋଇ ନର୍ସିଂହୋମ ଜୀବନ ଜ୍ୟୋତି ହସ୍ପିଟାଲ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ନର୍ସିଂହୋମ ବିରୋଧରେ ତଦନ୍ତ କରିବାକୁ ସିଡିଏମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭୁଲ ଚିକିତ୍ସା ପାଇଁ ରୋଗୀ ମୃତ୍ୟୁ ଏବଂ ମାମଲା ରଫାଦଫା କରିବାକୁ ମେଡ଼ିକାଲ କର୍ତ୍ତୃପକ୍ଷ ୫ ଲକ୍ଷ ଟଙ୍କା ଯାଚି ଥିବା ନେଇ ଅଭିଯୋଗ ହୋଇଥିଲା ।
ପ୍ରକାଶ ଥାଉକି, ଟିଟିଲାଗଡ଼ ସରକାରୀ ହସ୍ପିଟାଲର କର୍ମଚାରୀ ମିତା ବେହେରା ଗତ ୧୧ ତାରିଖରେ ପଡ଼ିଯାଇଥିଲେ । ସେଠାରେ ତାଙ୍କ ହାତ ଭାଙ୍ଗି ଯାଇଥିଲା । ସରକାରୀ ଡାକ୍ତରଖାନାରେ କୌଣସି ଅର୍ଥୋପେଡ଼ିକ ଡାକ୍ତର ନ ଥିବାରୁ ସେ ଜୀବନ ଜ୍ୟୋତି ହସ୍ପିଟାଲକୁ ଯାଇଥିଲେ । ସେଠାରେ ଅପରେସନ ପାଇଁ ତାଙ୍କୁ ନିଶ୍ଚେତକ ଇଞ୍ଜେକସନ୍ ଦିଆଯାଇଥିଲା । ମାତ୍ର ସେ ଆଉ ଉଠି ନ ଥିଲେ ।
ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗିର ମେଡିକାଲ ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମିତାଙ୍କୁ ଭୁଲ ଇଞ୍ଜେକ୍ସନ ଦିଆଯାଇଥିବା ପରିବାରୁ ଲୋକ ଅଭିଯୋଗ କରିଥିଲେ । ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ନର୍ସିଂହୋମ କର୍ତ୍ତୃପକ୍ଷ ୫ ଲକ୍ଷ ଟଙ୍କାର ଚେକ୍ ଦେଇଥିବା ଅଭିଯୋଗ ହୋଇଥିଲା ।
ଏହା ସହିତ ମିତାଙ୍କ ନିକଟରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଥାଇ ମଧ୍ୟ ତାଙ୍କଠାରୁ ମେଡ଼ିକାଲ ୧୫ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି । ତେବେ ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ନର୍ସିଂହୋମ କର୍ତ୍ତୃପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।