କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବୁଢ଼ାକୁନ୍ଦେଲ ଗ୍ରାମର ଏକ ଅଭାବନୀୟ ଘଟଣା ଘଟିଛି । ରାତିରେ ଶୋଇଥିବାବେଳେ ବାପା ଏବଂ ପୁଅଙ୍କ ଉପରେ ଏସିଡ୍ ମାଡ଼ କରାଯାଇଛି । ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ହେଲେ ମୋହନ ପନ୍ଦର (୪୦) ଏବଂ ତାଙ୍କର ୧୨ ବର୍ଷର ପୁଅ । ଗୁରୁତର ଅବସ୍ଥାରେ ସେମାନଙ୍କୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ବୁଢ଼ାକୁନ୍ଦେଲ ଗାଁର ମୋହନ ପନ୍ଦର ଓ ତାଙ୍କ ନାବାଳକ ପୁଅ ଗତକାଲି ରାତିରେ ବାରଣ୍ଡାରେ ଶୋଇଥିଲେ । ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ କେହି ଜଣେ ଦୁର୍ବୃତ୍ତ ଆସି ଏସିଡ ଫିଙ୍ଗି ଚମ୍ପଟ ମାରିଥିଲା । ବାପ ପୁଅ ଦୁଇ ଯନ୍ତ୍ରଣାରେ ଚିତ୍କାର କରିବାରୁ ଘର ଲୋକ ତାଙ୍କୁ ଉଦ୍ଧାର କରି ତୁମୁଡିବନ୍ଧ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ମୋହନଙ୍କର ମୁହଁ ଏବଂ ଦେହ ଜଳି ଯାଇଥିବାବେଳେ ତାଙ୍କ ପୁଅର ଦେହ ଜଳି ଯାଇଥିବା ଦେଖିବାକୁ ମିଳିଛି । ଉଭୟ ଏବେବି ଚିକିତ୍ସାଧୀନ ଅଛନ୍ତି ।
ଏସିଡ଼ ମାଡ଼ର କାରଣ ଜଣା ପଡ଼ି ନ ଥିବାବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି କାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ତେବେ ତୁମୁଡିବନ୍ଧ ଭାରାପ୍ରାପ୍ତ ଅଧିକାରୀ ଆଶୁତୋଷ ଜେନା ତଦନ୍ତ ଆରମ୍ଭ କରିଛନ୍ତି ।