ମେଲାପାଲୟମ୍: ନିଟ୍ ପରୀକ୍ଷା ପାଇଁ କୋଚିଂ ନେଉଥିବା ଛାତ୍ରଛାତ୍ରୀଙ୍କ ଉପରେ ହେଉଛି ଅକଥନୀୟ ନିର୍ଯ୍ୟାତନା । କୋଚିଂ ସେଣ୍ଟର ମାଲିକ କେତେବେଳେ ପିଲାଙ୍କୁ ବାଡ଼ିରେ ପିଟୁଛନ୍ତି ତ ଆଉ କେତେବେଳେ ସମସ୍ତଙ୍କ ସାମ୍ନାରେ ଛାତ୍ରୀମାନଙ୍କୁ ଚପଲ ଫିଙ୍ଗି ମାରୁଛନ୍ତି । ଯାହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । କେରଳର ଏକ ନିଟ୍ କୋଚିଂ ସେଣ୍ଟର ମାଲିକଙ୍କ ବିରୋଧରେ ଏ ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ହେଲେ ଜଲାଲ ଅହମ୍ମଦ ।
କେରଳର ମେଲାପାଲୟମ୍ ଥାନା ଅଞ୍ଚଳରେ ଜଲାଲ ଅହମ୍ମଦ ୨ ବର୍ଷ ହେବ ଏକ ମେଡ଼ିକାଲ କୋଚିଂ ସେଣ୍ଟର ଚଲାଉଛନ୍ତି । କିନ୍ତୁ ମାଲିକ ସେଠାରେ ପିଲାଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ଯାହାର ସିସିଟିଭି ଫୁଟେଜ୍ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଶ୍ରେଣୀ ଗୃହକୁ ବିଳମ୍ବରେ ଆସିବାରୁ ଛାତ୍ରମାନଙ୍କୁ ନିର୍ଧୁମ ପିଟୁଛନ୍ତି । ଯଦି କେହି ବିଳମ୍ବିତ ସମୟ ଯାଏ ଶୋଇ ରହୁଛି ସେ ମଧ୍ୟ ତ୍ରାହି ପାଇ ପାରୁ ନାହିଁ । ଏମିତିକି ଉଚିତ ସ୍ଥାନରେ ଚପଲ ନ ରଖିବାରୁ ଜଣେ ଛାତ୍ରୀଙ୍କୁ ଚପଲ ଫିଙ୍ଗି ମାରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏ ନେଇ କୋଚିଂ ସେଣ୍ଟର ଅନ୍ୟ କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ମେଲାପାଲୟମ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସମସ୍ତ ଛାତ୍ରଛାତ୍ରୀ ନାବାଳିକ ଏବଂ ନାବାଳିକା ହୋଇଥିବାରୁ ଧାରା ୭୫ ଅଧିନରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି ।
ଅନ୍ୟପକ୍ଷରେ ଏହି ମାମଲାରେ ମାନବାଧିକାର କମିଶନ ମଧ୍ୟ ହସ୍ତକ୍ଷେପ କରିଛନ୍ତି । ମାନବାଧିକାର ଆୟୋଗର ସଦସ୍ୟ ଭି କନ୍ନାଦସନ କୋଚିଂ ସେଣ୍ଟର ପରିଦର୍ଶନ କରିଛନ୍ତି । ଏହା ସହିତ ଛାତ୍ରଛାତ୍ରୀମାନେ ମାନବାଧିକାର ଆୟୋଗର ସଦସ୍ୟଙ୍କୁ ନିଜର କ୍ଷତ ଚିହ୍ନ ମଧ୍ୟ ଦେଖାଇଛନ୍ତି । ଆୟୋଗ ଏହି ମାମଲାକୁ ନିଜ ଆଡୁ ଗ୍ରହଣ କରି ତଦନ୍ତ କରୁଛି ବୋଲି ସେ କହିଛନ୍ତି ।
ତେବେ ଅନ୍ୟ ଜଣେ କର୍ମଚାରୀ ଜଲାଲଙ୍କ ସପକ୍ଷରେ କହିଛନ୍ତି ଯେ ପିଲାମାନଙ୍କ ଅଭିଭାବକମାନେ ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି । ସେଥିପାଇଁ ସେ ଛାତ୍ରଛାତ୍ରୀଙ୍କ ସହିତ ଶକ୍ତ ମନୋଭାବ ପ୍ରଦର୍ଶନ କରୁଛନ୍ତି । କିନ୍ତୁ କାହାକୁ କୌଣସି ଉଦ୍ଦେଶ୍ୟ ମୂଳକଭାବେ ମାରୁ ନାହାଁନ୍ତି ବୋଲି କହିଛନ୍ତି ।