ପାଟନା: ଶିବଙ୍କ ମୁଣ୍ଡରେ ଜଳାଭିଷେକ କରିବାକୁ ଶ୍ରଦ୍ଧାଳୁଙ୍କର କାଉଁଡ଼ିଆ ଯାତ୍ରା ଶେଷ ଯାତ୍ରା ହୋଇଛି । ବିହାର ବାଙ୍କା ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଜଳାଭିଷେକ କରିବାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ବୋଲେରୋ ଗାଡ଼ି ମାଡ଼ି ଯିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ରୁ ୧୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଏସଡିଏମ ଅବିନାଶ କୁମାର କହିଛନ୍ତି ।
ପୁଲିସ ସୂଚନା ମୁତାବକ, ବିହାର ବାଙ୍କା ଜିଲ୍ଲାରେ ଗତକାଲି ରାତିରେ ଶିବ ମନ୍ଦିରକୁ ଜଳାଭିଷେକ କରିବାକୁ କିଛି କାଉଁଡିଆ ପାଣି ଭାର ନେଇ ଯାଉଥିଲେ । ପ୍ରାୟ ୨୦ରୁ ଊର୍ଦ୍ଧ୍ୱ କାଉଁଡିଆ ସୁଲତାନଗଞ୍ଜ ଗଙ୍ଗା ନଦୀରୁ ପାଣି ଉଠାଇ ଜ୍ୟେଷ୍ଠଗୋରନାଥ ଶିବ ମନ୍ଦିରକୁ ପାଣି ନେଇ ଯାଉଥିଲେ । ବିଳମ୍ବିତ ରାତିରେ ଏକ ଦ୍ରୁତ ଗତିରେ ଆସୁଥିବା ଏକ କାର ଭାରସାମ୍ୟ ହରାଇ ସେମାନଙ୍କ ଉପରେ ମାଡ଼ି ଯାଇଥିଲା । ଖବର ପାଇ ତୁରନ୍ତ ପୁଲିସ୍ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଗୁରୁତର ହୋଇଥିବା ୧୦ରୁ ୧୨ ଜଣଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେ ଏକାଧିକ ଲୋକ ଚିକିତ୍ସିତ ହେଉଛନ୍ତି ।