ନୟାଗଡ଼: ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କଣ୍ଟିଲୋ ନୀଳମାଧବ ମନ୍ଦିର ନିକଟ ହେଲିପ୍ୟାଡରେ ଓହ୍ଲାଇଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ରାଷ୍ଟ୍ରପତି ନୀଳମାଧବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ସେ ମନ୍ଦିର ଉପରୁ ମହାନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ।
ପାଖାପାଖି ୩୦ ମିନିଟ୍ ଉପରେ ନୀଳମାଧବଙ୍କ ଶରଣରେ ରହିଥିଲେ ରାଷ୍ଟ୍ରପତି। ତେବେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ତାଙ୍କ ସହ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବାଚସ୍ପତି ସୁରମା ପାଢୀ ପ୍ରମୁଖ ମଧ୍ୟ ନୀଳମାଧବଙ୍କ ପୀଠକୁ ଯାଇ ସେଠାରେ ଦର୍ଶନ କରିଛନ୍ତି। ଏହାପରେ ଶବର ରାଜା ବିଶ୍ୱାବସୁଙ୍କ ଗାଁ କାଳିଆପଲ୍ଲୀ ପରିଦର୍ଶନରେ ଯାଇଛନ୍ତି। ସେଠାରେ ରାଷ୍ଟ୍ରପତି ଶବର ସମ୍ପ୍ରଦାୟଙ୍କର ମହାଯଜ୍ଞରେ ଯୋଗଦେଇ ସେଠାରେ ଶବର ରାଜା ବିଶ୍ୱାବସୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଇନଶୃଙ୍ଖଳା ବ୍ୟବସ୍ଥା, ଅସ୍ଥାୟୀ ହେଲିପ୍ୟାଡ ଓ ଅନ୍ୟାନ୍ୟ ବ୍ୟବସ୍ଥା ପରିଚାଳନା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ନୟାଗଡ଼ ଜିଲ୍ଲାପାଳ ଓ ଏସ୍ପି। ତେବେ ଏହି ଗସ୍ତକୁ ନଜରରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ୱରରେ ଜନସାଧାରଣଙ୍କ ପାଇଁ ୨୪ ଓ ୨୫ ତାରିଖ ଲାଗି ଟ୍ରାଫିକ ଆଡଭାଇଜରି ଜାରି କରାଯାଇଥିଲା।
ଅଧିକ ପଢନ୍ତୁ: ରାଜପଥରେ ବସ୍ ଚଲାଉଥିବା ବେଳେ ମ୍ୟାଚ୍ ଦେଖୁଥିଲେ ଡ୍ରାଇଭର, ଭିଡ଼ିଓ ଭାଇରାଲ ପରେ ଗଲା ଚାକିରି