ବୌଦ୍ଧ: ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାସ୍ତାରେ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଜଣେ ଦିବ୍ୟାଙ୍ଗଙ୍କ ଉପରେ ଅଜଣା ଗାଡ଼ି ମାଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ସରସରା ଗାଁର ସୁମନ୍ତ ମହାକୁଡ । ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।
ଗତକାଲି ବିଳମ୍ବିତ ରାତିରେ ସୁମନ୍ତ ମହାକୁଡ଼ ଶୌଚ ପାଇଁ ଗାଁ ନିକଟ ଜାତୀୟ ରାଜପଥକୁ ଆସିଥିଲେ । ଶୌଚ ହୋଇ ଘରକୁ ଫେରୁଥିବାବେଳେ ଫେରୁଥିବାବେଳେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଫଳରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ମାତ୍ର ଦୁର୍ଘଟଣା ଘଟାଇ ଗାଡ଼ିଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।
ଆଜି ସକାଳେ ସ୍ଥାନୀୟ ଲୋକେ ରାସ୍ତା ପାଖକୁ ଆସିଥିବାବେଳେ ସୁମନ୍ତଙ୍କ ରକ୍ତାକ୍ତ ମୃତ ଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏ ନେଇ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ସହିତ ପୁଲିସକୁ ଖବର ଦେଇଥିଲେ । ଏହା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଗ୍ରାମବାସୀ ମୃତ ଦେହକୁ ରାସ୍ତା ଉପରେ ରଖି ଖୋର୍ଦ୍ଧା-ବଲାଙ୍ଗିର ରାସ୍ତା ଅବରୋଧ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବା ଦାବିରେ ରାସ୍ତା ଅବରୋଧ କରାଯାଇଛି ।
ଅନ୍ୟପକ୍ଷରେ ରାସ୍ତା ଅବରୋଧ ଫଳରେ ଉକ୍ତ ମାର୍ଗରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଘଟଣା ବାବଦରେ ଖବର ପାଇ ବୌଦ୍ଧ ଅତିରିକ୍ତ ତହସିଲଦାର ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ଫଳରେ ରାସ୍ତା ଅବରୋଧ ହଟିଥିଲା ।