ଗଜପତି: ଗଜପତି ଜିଲ୍ଲା ସେରଙ୍ଗ ଥାନା ଅଧିନସ୍ଥ ଗୁମା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟଛି । ଏକ ସରକାରୀ କ୍ୱାର୍ଟର୍ସରୁ ଜଣେ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଫାର୍ମାସିଷ୍ଟ ହେଲେ ସେହି ଗ୍ରାମର ଗଣେଶ ବେହେରା । ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୮ ଆମ୍ବୁଲାନ୍ସ ଗାଡ଼ିରେ ଫାର୍ମାସିଷ୍ଟ ଭାବେ କାମ କରୁଥିଲେ ବୋଲି ଜଣାପଡ଼ିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗତକାଲି ଗଣେଶ ରାତି ପ୍ରାୟ ୯ଟା ସମୟରେ ଡ୍ୟୁଟି ସାରି ତାଙ୍କ କ୍ୱାଟର୍ସକୁ ଆସିଥିଲେ । ରାତି ପ୍ରାୟ ୧୧ଟା ସମୟରେ ତାଙ୍କର ସାଙ୍ଗମାନେ ଗଣେଶଙ୍କୁ ଖାଇବାକୁ ଡାକିଥିଲେ । ହେଲେ ଗଣେଶ କବାଟ ଖୋଲି ନ ଥିଲେ। ବହୁ ସମୟ ଧରି କବାଟ ବାଡ଼େଇବା ପରେ ମଧ୍ୟ କବାଟ ନ ଖୋଲିବାରୁ ସେମାନଙ୍କର ସନ୍ଦେହ ହୋଇଥିଲା । ସେମାନେ ତୁରନ୍ତ ସେରଙ୍ଗ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି କବାଟ ଭାଙ୍ଗି ଗଣେଶଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲେ । ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ।
ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଁଚି ଯାଞ୍ଚ ଆରମ୍ଭ କରିଛି । ଗଣେଶ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସ୍ପଷ୍ଟ ହୋଇ ନଥିବାବେଳେ ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଆତ୍ମହତ୍ୟା ଜନିତ ଘଟଣା ବୋଲି ସନ୍ଦେହ କରାଯାଉଛି । ତେବେ ସେ କେଉଁ କାରଣ ପାଇଁ ଆତ୍ମହତ୍ୟା କରିଛନ୍ତି ସେ ନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ । ତେବେ ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ତଦନ୍ତ ଆରମ୍ଭ କରିଛି ।