କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା କାଠିଆପଡ଼ା ଗ୍ରାମ ଛାତ୍ରୀ ମୃତ୍ୟୁ ମାମଲାରେ ଏଯାଏଁ ପୋଲିସ କୌଣସି ନିଷ୍କର୍ଷରେ ପହଁଚି ନ ଥିବାବେଳେ ପୁଣି ଏକ ନୂଆ ଟୁଇଷ୍ଟ ଆସିଛି । ଚାରିଆଡ଼ୁ ଅନେକ ପ୍ରଶ୍ନ ଆସିବା ପରେ ପୀଡ଼ିତାର ପରିବାର ଘଟଣାର ୪ ଦିନ ପରେ ଥାନାରେ ଏତଲା ଦିଆଯାଇଛି । ପୀଡ଼ିତାଙ୍କ ବାପା ଏବଂ ଭାଇ ଗ୍ରାମାଞ୍ଚଳ ଥାନା ଏଫ୍ଆଇଆର୍ ଦେଇଛନ୍ତି । ତେବେ ସେମାନେ କାହା ବିରୋଧରେ ଏତଲା ଦେଇଛନ୍ତି, ତାହା ଜଣାପଡ଼ି ନାହିଁ ।
ସେପଟେ କେନ୍ଦ୍ରାଞ୍ଚଳ ଆଇଜି ପ୍ରବୀଣ କୁମାର କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ ମୁଖ୍ୟାଳୟରେ ପହଁଚିଛନ୍ତି । ପଟ୍ଟାମୁଣ୍ଡାଇ ମାମଲା ନେଇ ଆଇଜି ଏସପିଙ୍କ ସହିତ ଆଲୋଚନା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।
ଅପରପକ୍ଷେ ଛାତ୍ରୀ ମୃତ୍ୟୁ ନେଇ ଏବେବି ସନ୍ଦେହ ଜାରି ରହିଛି । ସେ ସତରେ ଆତ୍ମଦାହ କରିଛନ୍ତି ତା ତାଙ୍କୁ କିଏ ପୋଡ଼ି ହତ୍ୟା କରିଛି, ପୋଲିସର ତଦନ୍ତ ଜାରି ରହିଛି । ଖୋଦ୍ ଏସପି ଏହି ଘଟଣାର ତଦାରଖ କରୁଛନ୍ତି । ଘଡ଼ି ଘଡ଼ି ଏସପି କାଠିଆପଡ଼ା ଗ୍ରାମରେ ପଇଁତରା ମାରୁଛନ୍ତି । ତେବେ ପଡ଼ୋଶୀ ସିସିଟିଭି ଫୁଟେଜରୁ ପୋଲିସକୁ କିଛି ସୁରାକ ମିଳିଥିବା ଏସପି କହିଛନ୍ତି ।