କଟକ: ଆପାର୍ଟମେଣ୍ଟ ପଞ୍ଜିକରଣ ସମ୍ପର୍କିତ ବିଜ୍ଞପ୍ତି ଉପରେ ହିତାଦେଶ ଜାରି କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଗୃହ ଓ ନଗର ନିର୍ମାଣ ବିଭାଗ ଦ୍ୱାରା ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ହାଇକୋର୍ଟ ରହିତାଦେଶ ଲଗାଇଛନ୍ତି । ଗତ ଫେବ୍ରୁଆରି ପହିଲାରେ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଥିଲା ।
ରେରା ଆଇନ୍ ଆସିବା ପୂର୍ବରୁ ଶେଷ ହୋଇଥିବା ଆପାର୍ଟମେଣ୍ଟ ମଧ୍ୟ ରେରା ଆଇନ୍ ପରିସରଭୁକ୍ତ ହେବାର ଆବଶ୍ୟକତା ଅଛି ବୋଲି ବିମଳେନ୍ଦୁ ପ୍ରଧାନ ନାମକ ଜଣେ ବ୍ୟକ୍ତି କୋର୍ଟରେ ଆବେଦନ କରିଥିଲେ । ଯାହାକୁ ହାଇକୋର୍ଟଙ୍କ ଖଣ୍ଡପୀଠ ଗ୍ରହଣ କରିବା ସହିତ ବିଜ୍ଞପ୍ତି ଉପରେ ରହିତାଦେଶ ଲାଗୁ କରିଛନ୍ତି । ଏହା ସହିତ ଆସନ୍ତା ବୁଧବାର ସୁଦ୍ଧା ଜବାବ ରଖିବାକୁ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଆସନ୍ତା ବୁଧବାର ଫେବ୍ରୁଆରି ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।
ଗୃହ ଓ ନଗର ନିର୍ମାଣ ବିଭାଗ ବିଜ୍ଞପ୍ତି ଅନୁସାରେ ୨୦୧୭ ମସିହା ପୂର୍ବରୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ଆପାର୍ଟମେଣ୍ଟ ଗୁଡ଼ିକର ପଞ୍ଜିକରଣ ହେବ । ବିନା ଆପାର୍ଟମେଣ୍ଟ ଆଇନ୍ ଅନୁଯାୟୀ ଏହା କରିହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା ।