ଭୁବନେଶ୍ୱର : ଆସନ୍ତା ୧୬ରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ସେଲିବ୍ରେଟି କ୍ରିକେଟ ଲିଗ୍ । ଆଜି ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବଲିଉଡ ଅଭିନେତା ଅର୍ଜୁନ କପୁର ଓ ପ୍ରଯୋଜକ ବୋନି କପୁର । ସେମାନେ ସୌଜନ୍ୟମୂଳକ ସାକ୍ଷାତ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନିମନ୍ତ୍ରଣ କରିଥିବା କହିଛନ୍ତି । ଏଥିସହ ସେମାନେ ପୂର୍ବରୁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ମଧ୍ୟ ସାକ୍ଷାତ କରି ଆଲୋଚନା କରିଛନ୍ତି ।
ଓଡିଶାରେ ଆୟୋଜିତ ହେବାକୁ ଥିବା ସେଲିବ୍ରିଟି କ୍ରିକେଟ୍ ଲିଗରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଶ୍ରୀ କାପୁର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ । ଶ୍ରୀ କାପୁର କହିଥିଲେ ଯେ, ଓଡିଶାରେ ପିଲ୍ମ ସୁଟିଂ ପାଇଁ ବ୍ୟାପକ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପର୍ଯ୍ୟାପ୍ତ ସୁବିଧା ରହିଛି । ଏ ସବୁର ପ୍ରଚାର ପ୍ରସାର ହେଲେ ବହୁ ଫିଲ୍ମ ନିର୍ମାତାଙ୍କ ପାଇଁ ଓଡିଶା ହେବ ପସନ୍ଦ ଯୋଗ୍ୟ ଫିଲ୍ମ ସୁଟିଂ ସ୍ଥାନ । ଏଥି ସହିତ ରାଜ୍ୟ ପର୍ଯ୍ୟଟନର ମଧ୍ୟ ଅଭିବୃଦ୍ଧି ଘଟିବ ବୋଲି ସେ କହିଥିଲେ । ଏହି ସାକ୍ଷାତ ସମୟରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ବିଧାୟକ ମାନେ ଉପସ୍ଥିତ ଥିଲେ ।
ସୂଚନା ଅନୁସାରେ ୧୬ରେ ପଞ୍ଜାବ ଦେ ଶେର ଟିମ୍ ଓ ଭୋଜପୁରୀ ଦବଙ୍ଗ ଟିମ୍ ମଧ୍ୟରେ ଗୋଟିଏ ମ୍ୟାଚ ଓ ମୁମ୍ବାଇ ହିରୋ ଏବଂ ବେଙ୍ଗଲ ଟାଇଗର୍ସଙ୍କ ମଧ୍ୟରେ ଗୋଟିଏ ମ୍ୟାଚ ହେବ । ଯେଉଁଥିରେ ବଲିଉଡ ଅଭିନେତାଙ୍କ ମଧ୍ୟରେ ଏକ କ୍ରିକେଟ ମ୍ୟାଚ ମଧ୍ୟ ଅନୁଷ୍ଠିତ ହେବ । ତେବେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ ଅର୍ଜୁନ କପୁର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରି ଖୁସି ଲାଗିଲା । ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଧନ୍ୟବାଦ । ଆଶାକରୁଛୁ ଓଡିଶାବାସୀ ଆଗକୁ ହେବାକୁ ଥିବା ସିସିଏଲ (CCL) ମ୍ୟାଚ ଉପଭୋଗ କରିବେ ।
ଅଧିକ ପଢନ୍ତୁ :- ଓଡ଼ିଆ ରାପର୍ ଅଭିନବ ସିଂହଙ୍କ ଆତ୍ମହତ୍ୟା