ଗଞ୍ଜାମ: କଲେଜ ପରିସରରେ ଚାଲିଲା ଛୁରୀ । ଖଲ୍ଲିକୋଟ ରାମଚନ୍ଦ୍ର ମର୍ଦ୍ଧରାଜ ବିଜ୍ଞାନ କଲେଜରେ ଜଣେ ଯୁକ୍ତ ୩ର ପ୍ରଥମ ବର୍ଷର ଛାତ୍ରଙ୍କ ଛୁରା ମାଡ଼ରେ ୩ ଜଣ ଅଣଛାତ୍ର ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ପରେ ଅଭିଯୁକ୍ତ ଛାତ୍ର ମେଘେନା ପାହାନ ଫେରାର ହୋଇଯାଇଥିବା ଜଣାପଡ଼ିଛି ।
ବୁଧବାର ମେଘନା ପାହାନ ସେମିଷ୍ଟାର ପରୀକ୍ଷା ଦେଇ ଆସୁଥିଲେ । ତାଙ୍କୁ ମାଡ଼ ମାରିବାକୁ ପୂର୍ବରୁ କଲେଜ ପଡ଼ିଆରେ ୩ ଜଣ ଅଣଛାତ୍ର ଜଗି ବସିଥିଲେ । ଅଣଛାତ୍ରମାନେ ତାଙ୍କୁ ପାଖକୁ ଡାକିଥିଲେ । ଏହା ପରେ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା । ଏହା ପରେ ନିଜ ବ୍ୟାଗରେ ଥିବା ଛୁରୀ ବାହାର କରି ଛାତ୍ର ଜଣଙ୍କ ସେମାନଙ୍କୁ ଆକ୍ରମଣ କରିଥିଲେ । ଫଳରେ ତିନି ଜଣ ଗୁରୁତର ହୋଇ ପଡ଼ିଥିବା ସୂଚନା ହସ୍ତଗତ ହୋଇଛି । ଏ ନେଇ ଖଲ୍ଲିକୋଟ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି । ତେବେ କଣ ପାଇଁ ଝଗଡ଼ା ଏବଂ ଛୁରୀ ମାଡ଼ ହୋଇଛି ସେ ନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ ।