ଭୁବନେଶ୍ୱର: ଓଡ଼ିଶା ପୋଲିସ ସ୍ୱତନ୍ତ୍ର ଅଭିଯାନ ଅପରେସନ 'ସାଇବର କବଚ' ମାଧ୍ୟମରେ ସାଇବର ଅପରାଧ ବିରୋଧରେ ଲଢ଼େଇକୁ ତୀବ୍ର କରିଛି। ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲା ଏସ୍ପି ଏବଂ ଡିସିପିମାନେ ଜାଲିଆତିରେ ବ୍ୟବହୃତ ମ୍ୟୁଲ (ବେନାମୀ) ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଚିହ୍ନଟ କରିବା ଏବଂ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାରା ରାଜ୍ୟରେ ସାଇବର ଅପରାଧ ୟୁନିଟ୍ ତଦାରଖ କରିଥିଲେ। ଏପର୍ଯ୍ୟନ୍ତ, ପୋଲିସ ରାଜ୍ୟବ୍ୟାପୀ ୩୧,୪୯୮ ଟି ମ୍ୟୁଲ୍ ଆକାଉଣ୍ଟ ଯାଞ୍ଚ କରିଛି।
ତଦନ୍ତ ସମୟରେ ୧,୦୯୦ଟି ସାଇବର ଠକେଇ ମାମଲା, ୩୪ଟି ATM ଉଠାଣ ମାମଲା, ୩୫ଟି ଚେକ୍ ଉଠାଣ ମାମଲା ଏବଂ ୨୩ ଟି ନକଲି SIM/PoS-ସମ୍ବନ୍ଧୀୟ ମାମଲା ସାମ୍ନାକୁ ଆସିଛି। ମୋଟ ୩୨୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୧୮୩ଟି FIR ସହିତ ଜଡିତ ୬,୫୩୨ଜଣ ସନ୍ଦିଗ୍ଧ ଆକାଉଣ୍ଟଧାରୀ ଏବଂ ସହଯୋଗୀଙ୍କୁ ନୋଟିସ୍ ଜାରି କରାଯାଇଛି।
ଜିଲ୍ଲା ପୋଲିସ ୟୁନିଟଗୁଡ଼ିକ ଉଲ୍ଲେଖନୀୟ ଅଗ୍ରଗତି ନେଇ ରିପୋର୍ଟ କରିଛନ୍ତି। ପୁରୀ ପୋଲିସ ଗୋଟିଏ ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି, ଏକ ମାମଲା ପଞ୍ଜିକରଣ କରିଛି ଏବଂ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ରାଉରକେଲା ପୋଲିସ ୨୨ ଆକାଉଣ୍ଟ ଯାଞ୍ଚ କରିଛି, ଚାରୋଟି ମାମଲା ପଞ୍ଜିକରଣ କରିଛି ଏବଂ ତିନି ଜଣଙ୍କୁ ନୋଟିସ ଜାରି କରିଛି। ଭୁବନେଶ୍ୱର ପୋଲିସ ୧୨ ଆକାଉଣ୍ଟ ଯାଞ୍ଚ କରିଛି, ଗୋଟିଏ ମାମଲା ପଞ୍ଜିକରଣ କରିଛି, ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଚାରି ଜଣଙ୍କୁ ନୋଟିସ ଜାରି କରିଛି। କଟକ ପୋଲିସ ଗୋଟିଏ ଚେକ୍ ଉଠାଣ ମାମଲା ପଞ୍ଜିକରଣ କରିଛି।
ସେହିପରି ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ନୟାଗଡ ପୋଲିସ ୮୨ଟି ଆକାଉଣ୍ଟ ଯାଞ୍ଚ କରି ୩୦ଟି ନୋଟିସ ଜାରି କରିଛି; ବଲାଙ୍ଗୀର, ସୁବର୍ଣ୍ଣପୁର, ବାଲେଶ୍ୱର ଏବଂ ଭଦ୍ରକ ପୋଲିସ ଏକାଧିକ ଆକାଉଣ୍ଟ ଯାଞ୍ଚ କରିଛି; ମୟୂରଭଞ୍ଜ ପୋଲିସ ୨୦ଟି ଆକାଉଣ୍ଟ ଯାଞ୍ଚ କରି ୧୮ଟି ନୋଟିସ ଜାରି କରିଛି; ବ୍ରହ୍ମପୁର ପୋଲିସ ୮୦ଟି ଆକାଉଣ୍ଟ ଯାଞ୍ଚ କରି ୮୦ଟି ନୋଟିସ ଜାରି କରିଛି; ବୌଦ୍ଧ ପୋଲିସ ସାତଟି ଆକାଉଣ୍ଟ ଯାଞ୍ଚ କରି ସାତଟି ନୋଟିସ ଜାରି କରିଛି। ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ମାଲକାନଗିରି ଏବଂ ନୂଆପଡା ପୋଲିସ ମଧ୍ୟ ଯାଞ୍ଚ ଏବଂ ନୋଟିସ ରିପୋର୍ଟ କରିଛି।
ଡିଜିପି ଖୁରାନିଆ କହିଛନ୍ତି ଯେ ଓଡ଼ିଶା ପୋଲିସ ଡିଜିଟାଲ କାରବାରକୁ ସୁରକ୍ଷିତ ରଖିବା ପାଇଁ ପ୍ରତିବଦ୍ଧ ଏବଂ ସାଇବର ଅପରାଧ ମୁକ୍ତ ଓଡ଼ିଶା ଗଠନ ପାଇଁ ଅଭିଯାନକୁ ଆହୁରି ତୀବ୍ର କରିବ।
ଅଧିକ ପଢନ୍ତୁ: ପୁଣି ଅଶାନ୍ତ ହେଲା ଜଟଣୀ; ଜାତିଆଣ ଆକ୍ଷେପରୁ କଥା କଟାକଟିରେ ଉତକ୍ଷିପ୍ତ ହୋଇ ବୋମା ଫିଙ୍ଗିଲେ ଯୁବକ