ଭୁବନେଶ୍ବର: ନବନିଯୁକ୍ତ ରାଜ୍ୟପାଳ ହରିବାବୁ କମ୍ଭମପତି ଆଜି ପୂର୍ବାହ୍ଣରେ ଶପଥ ନେବେ। ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ସେ ସକାଳ ୧୦ଟା ୧୫ ମିନିଟରେ ଏହି ଶପଥ ନେବେ। ସେ ଓଡ଼ିଶାର ୨୭ତମ ରାଜ୍ୟପାଳ ହେବେ।
ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଅନ୍ୟ ମନ୍ତ୍ରୀମାନେ ଗତକାଲି ଅପରାହ୍ଣରେ ନୂଆ ରାଜ୍ୟପାଳଙ୍କୁ ସ୍ବାଗତ କରିଥିଲେ। ପରେ ପ୍ରୋଟୋକଲ୍ ଅନୁସାରେ ତାଙ୍କୁ ‘ଗାର୍ଡ-ଅଫ-ଅନର’ ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା। ଏହାପରେ ରାଜ୍ୟପାଳ ବିମାନବନ୍ଦରରୁ ସିଧାସଳଖ ଶ୍ରୀକ୍ଷେତ୍ର ଯାଇଥିଲେ। ସନ୍ଧ୍ୟାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ତାଙ୍କ ସହିତ ସପରିବାର ଉପସ୍ଥିତ ଥିଲେ। ରାଜ୍ୟପାଳ ମହାପ୍ରଭୁଙ୍କ ଦର୍ଶନର ସାନିଧ୍ୟ ଲାଭ କରିବା ସହ ବିମଳା ମନ୍ଦିର , ମୁକ୍ତି ମଣ୍ଡପ, ଲକ୍ଷ୍ମୀ ମନ୍ଦିର ଦର୍ଶନ କରିବା ପରେ ଭିତର ବେଢ଼ା ପରିକ୍ରମା କରିଥିଲେ।
ସୂଚନାଯୋଗ୍ୟ, ହରିବାବୁ କମ୍ଭମପତି ପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ। ସେ ୧୯୯୯ ମସିହାରେ ପ୍ରଥମ ଥର ପାଇଁ ବିଶାଖାପାଟଣାର ବିଧାୟକ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୧୪ ମସିହାରେ ବିଶାଖାପାଟଣା ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ।