ଭୁବନେଶ୍ୱର: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଲୋକସେବା ଭବନ କନଭେନସନ ସେଣ୍ଟରଠାରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ “ବିଶ୍ଵ ଅଣ୍ଡା ଦିବସ” ପାଳନ କାର୍ଯ୍ୟକ୍ରମ। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ଅଣ୍ଡା ହେଉଛି ଶ୍ରେଷ୍ଠ ପ୍ରାକୃତିକ ପୋଷଣ ତଥା ଉତ୍ତମ ସ୍ବାସ୍ଥ୍ୟର ଶକ୍ତିଶାଳୀ ଆଧାର। ଦୈନିକ ଆହାରରେ ଏହାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଆମକୁ ସଚେତନତା ସୃଷ୍ଟି କରିବା ପାଇଁ ପଡିବ। ସବୁଠାରୁ କମ ମୂଲ୍ୟରେ ମିଳୁଥିବା ଏହି ପ୍ରାଣୀଜ ଖାଦ୍ୟ ହେଉଛି ଶିଶୁଙ୍କ ଉତ୍ତମ ସ୍ଵାସ୍ଥ୍ୟର ଆଧାର ଓ ଗ୍ରାମୀଣ ଅର୍ଥନୀତିର ଉତ୍ସ।
୨୦୨୯ ସୁଦ୍ଧା ବାର୍ଷିକ ୫୦୦ କୋଟି ଅଣ୍ଡା ଉତ୍ପାଦନ ଲକ୍ଷ୍ୟ
ଏବେ ଦୈନିକ ପ୍ରାୟ ୧ କୋଟି ୧୭ ଲକ୍ଷ ଏବଂ ବାର୍ଷିକ ୩୭୨ କୋଟି ଅଣ୍ଡା ଉତ୍ପାଦନ ହେଉଛି। ୨୦୨୯ ସୁଦ୍ଧା ବାର୍ଷିକ ୫୦୦ କୋଟି ଅଣ୍ଡା ଉତ୍ପାଦନ ଲକ୍ଷ୍ୟ ରହିଛି। ଆମ ରାଜ୍ୟରେ ବାର୍ଷିକ ଅଣ୍ଡାର ମୁଣ୍ଡପିଛା ଉପଲବ୍ଧତା ୮୦ଟି ଥିବା ବେଳେ ସୁସ୍ଥ ଶରୀର ପାଇଁ ବାର୍ଷିକ ୧୮୨ଟି ଅଣ୍ଡାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ତେଣୁ ଅଣ୍ଡା ଉତ୍ପାଦନରେ ଆତ୍ମନିର୍ଭର ହେବା ପାଇଁ ପ୍ରତ୍ୟେକ ବ୍ଲକ୍ ଓ ଜିଲ୍ଲାରେ ଯୁବ ଉଦ୍ୟୋଗୀମାନେ ଆଗେଇ ଆସିବାକୁ ମନ୍ତ୍ରୀ ଆହ୍ଵାନ କରିଥିଲେ।
ଡବଲ ଇଞ୍ଜିନ ସରକାରଙ୍କ ଲୋକାଭିମୁଖୀ ଯୋଜନା ଆଧାରରେ ଲେୟର ଫାର୍ମ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି। ୧,୦୦୦ ରୁ ୪,୦୦୦ ଲେୟର୍ ବାର୍ଡ଼ର ଫାର୍ମ ପ୍ରତିଷ୍ଠା ପାଇଁ ୧୯ ଲକ୍ଷ ୭୪ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳୁଛି। ଘର ଅଗଣାରେ କୁକୁଡ଼ା ପାଳନ ପାଇଁ ୪୦ ହଜାର ହିତାକାରୀଙ୍କୁ ଶତ ପ୍ରତିଶତ ସହାୟତା ସହିତ ବତକ ପାଳନ ପାଇଁ ସର୍ବାଧିକ ୨ଲକ୍ଷ ୬୪ ହଜାର ଟଙ୍କାର ସହାୟତା ପାଇଁ ବ୍ୟବସ୍ଥା ରହିଛି।