ବାଲେଶ୍ୱର: ବଢି ଚାଲିଛି ବାଲି ମାଫିଆଙ୍କ ଆତଙ୍କରାଜ । ବିନା ଭୟରେ ଅତି ନୃଶଂସ ଭାବରେ ଜଣେ ସରକାରୀ ଅଧିକାରକୁ ଦିନ ଦ୍ଵିପ୍ରହରରେ ଆକ୍ରମଣ କରୁଛନ୍ତି। ପ୍ରଥମେ କପ୍ତିପଦା ଆଉ ଏବେ ବାଲେଶ୍ବର ଖଣି ଅଧିକାରୀଙ୍କୁ ବାଲି ମାଫିଆ ମାଡ଼ ମାରି ରକ୍ତାକ୍ତ କରିଛନ୍ତି । ଚିକିତ୍ସା ପାଇଁ ଖଣି ଅଧିକାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ରେମୁଣା ଖଣି ଅଧିକାରୀ ତାପସ ବେହେରା ମଧ୍ୟାହ୍ନ ସମୟରେ ବୁଡା ବଳଙ୍ଗ ନଦୀ ଫୁଲାଡି କାଠ ସଂଗଡା ନିକଟରେ ବେଆଇନ ବାଲି ଚାଲାଣକୁ ନେଇ ଚଢାଉ କରିଥିଲେ। ଏହି ସମୟରେ ଘଟଣାସ୍ଥଳରେ ଏକାଧିକ ହାଇଓ୍ବାରେ ବେଆଇନ ବାଲି ଲୋଡିଂ ହୋଇ ଚାଲାଣ ହେଉଥିବା ସମୟରେ ଜବତ ମଧ୍ୟ କରିଥିଲେ । ଏହି ଜବତ ପରେ ୧୦ରୁ ଅଧିକ ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ଖଣି ଅଧିକାରୀ ଓ ତାଙ୍କ ଗାଡି ଡ୍ରାଇଭରକୁ ନିର୍ଧୁମ ମାଡ ମାରିଥିଲେ । ଗୁରୁତର ଅବସ୍ଥାରେ ଖଣି ଅଧିକାରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଚିକିତ୍ସା କରାଯାଇଛି। ଖବର ପାଇ ଡାକ୍ତରଖାନାରେ ଉପ ଜିଲ୍ଲାପାଳ ଖଣିଅଧିକାରୀଣି ଓ ସିଡିଏମ ପହଞ୍ଚି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଏହା ସହିତ ବାଲି ମାଫିଆଙ୍କ ଉପରେ ବଡ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।