କଟକ: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଜେଡ଼ି ନେତା ତଥା ତତ୍କାଳୀନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । ଅଦାଲତ ପ୍ରତାପ ଜେନାଙ୍କୁ ଏହି ହତ୍ୟାକାଣ୍ଡ ମାମଲାରେ କ୍ଲିନ ଚିଟ୍ ପ୍ରଦାନ କରିଛନ୍ତି । ସାଲେପୁର କୋର୍ଟରେ ଥିବା ମାମଲାରୁ ହାଇକୋର୍ଟ ଖାରଜ କରିଛନ୍ତି ।
ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପ ଜେନା ୧୩ ନମ୍ବର ମୁଦାଲା ଥିଲେ । ପ୍ରଥମେ ଏହି ମାମଲାରେ ତାଙ୍କ ନାଁ ନ ଥିଲା । ପରେ ସାଲେପୁର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପ୍ରତାପଙ୍କ ନାଁକୁ ଯୋଡ଼ା ଯାଇଥିଲା । ଯାହାକୁ ବିରୋଧ କରି ପ୍ରତାପ ଜେନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ଉପର କୋର୍ଟ ପ୍ରତାପଙ୍କ ଆବେଦନକୁ ଗ୍ରହଣ କରିବା ସହିତ ତଳ କୋର୍ଟଙ୍କ ମାମଲାକୁ ଖାରଜ କରିଛନ୍ତି ।
ତେବେ ହାଇକୋର୍ଟରୁ କ୍ଲିୁନ ଚିଟ୍ ମିଳିବା ପରେ ପ୍ରତାପ ଜେନା ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରିଛନ୍ତି । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋ ସେୟାର କରି ସେ ଲେଖିଛନ୍ତି, “ସତ୍ୟର ସବୁବେଳେ ଜୟ ହୁଏ, ଯେଉଁଠାରେ ଠାକୁର ଶ୍ରୀଜଗନ୍ନାଥ ଅଛନ୍ତି, ସେଠାରେ ଅନ୍ୟାୟ କେବେ ବି ଟିକିପାରିବ ନାହିଁ”।
ଏଠାରେ ଉଲ୍ଲେଖ ଯୋଗ୍ୟ, ବିଜେପି ନେତା କୁଳମଣି ବରାଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥରାଶୀରେ ବିଜେଡି ନେତାମାନେ ଦୁର୍ନୀତି କରୁଥିବା ଘଟଣାକୁ ନେଇ ସ୍ଵର ଉତ୍ତୋଳନ କରିଥିଲେ। ୨୦୨୧ ଜାନୁଆରୀ ମାସରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସାଥି ଦିବ୍ୟସିଂହ ବରାଳଙ୍କୁ କଟକ ଜିଲ୍ଲା ମାହାଙ୍ଗା ନିକଟରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏ ସଂକ୍ରାନ୍ତରେ ନେତାଙ୍କ ପରିବାର ଲୋକ ବିଜେଡି ନେତା ପ୍ରତାପ ଜେନାଙ୍କ ହତ୍ୟାକାଣ୍ଡ ସହିତ ସମ୍ପର୍କ ଥିବା ନେଇ ଅଭିଯୋଗ ଆଣିଥିଲେ । ତେବେ ପ୍ରତାପ ଜେନା ଏ ସଂକ୍ରାନ୍ତରେ ପୁଲିସର ସନ୍ଦେହ ଘେରକୁ ଆସିଥିଲେ । ଏହାପରେ ୧୨ ଜଣଙ୍କୁ ଗିରଫ କରିଥିଲା ପୁଲିସ । ହେଲେ ପରବର୍ତ୍ତୀ ସମୟରେ ପ୍ରତାପ ଜେନାଙ୍କ ନାମ ଚାର୍ଜସିଟରୁ ବାଦ ପଡିଥିଲା ।
ଏହି ମାମଲାରେ ସାଲେପୁର ଅତିରିକ୍ତ ଜିଲ୍ଲା ଅଦାଲତ ଗତ ଅଗଷ୍ଟ ୨୮ ତାରିଖରେ ମାମଲାର ଶୁଣାଣି କରି ୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହା ସହିତ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଥିଲେ ।