ଭୁବନେଶ୍ୱର: ଦେଶକୁ ମାଓ ମୁକ୍ତ କରିବାକୁ କେନ୍ଦ୍ର ସରକାର ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି । କଳ ବଳ କୌଶଳ ଲଗାଇ ମାଓବାଦୀଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାକୁ କରାଯାଉଛି ପ୍ରୟାସ । ପୁଣି ଥରେ ମାଓବାଦୀଙ୍କ ଆତ୍ମସମର୍ପଣ ପ୍ରୋତ୍ସାହନ ରାଶିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।
ବିଭିନ୍ନ ବର୍ଗରେ ମାଓବାଦୀଙ୍କ ଆତ୍ମ ସମର୍ପଣ ରାଶିକୁ ବୃଦ୍ଧି କରାଯାଇଛି । ଯଦି ସେଣ୍ଟ୍ରାଲ କମିଟି ମେମ୍ବର ହୋଇଥିବେ ତେବେ ୧ କୋଟି ୧୦ ଲକ୍ଷ ଟଙ୍କା ମିଳିବ । ସେହିପରି ସେସ୍ କମିଟି ମେମ୍ବର ହୋଇଥିଲେ ୫୫ ଲକ୍ଷ ଟଙ୍କା, ରିଜିଓନାଲ୍ କମିଟି ମେମ୍ବର ହୋଇଥିଲେ ୩୩ ଲକ୍ଷ ଟଙ୍କା, ଡିଭିଜିନାଲ୍ କମିଟି ସେକ୍ରେଟାରୀ ହୋଇଥିଲେ ୨୭ ଲକ୍ଷ ୫୦ ହଜାର, ଡିଭିଜିନାଲ୍ କମିଟି ମେମ୍ବର ବା ଡିସିଏମ୍ ହୋଇଥିଲେ ୨୨ ଲକ୍ଷ ଟଙ୍କା, କମାଣ୍ଡର ଲୋକାଲ୍ ଅର୍ଗାନାଇଜରଙ୍କୁ ୧୧ ଲକ୍ଷ ଟଙ୍କା, ଡେପୁଟି କମାଣ୍ଡର ଲୋକାଲ୍ ଅର୍ଗାନାଇଜରଙ୍କୁ ୫ ଲକ୍ଷ ୫୦ ହଜାର, ସ୍ପେଶାଲ୍ ଅର୍ଥାଲ୍ ଟେକ୍ନିକାଲ ଏକ୍ସପର୍ଟ ହୋଇଥିଲେ ୨ ଲକ୍ଷ ୭୫ ହଜାର ଟଙ୍କା, ଡାଲମ୍ ମେମ୍ବର ଓ କାର୍ଡର୍ ସଦସ୍ୟଙ୍କୁ ୧ ଲକ୍ଷ ୬୫ ହଜାର ଟଙ୍କା ଆତ୍ମସମର୍ପଣ ରାଶି ପ୍ରଦାନ କରାଯିବ ।
ସେହିପରି ଅସ୍ତ୍ର ସହିତ ଆତ୍ମସମର୍ପଣ କଲେ ମଧ୍ୟ ଅତିରିକ୍ତ ଅର୍ଥ ରାଶି ମିଳିବ । ଏଲଏମଜି ରାଇଫଲ୍ ସହିତ ଆତ୍ମସମର୍ପଣ କଲେ ୪ ଲକ୍ଷ ୯୫ ହଜାର ଟଙ୍କା, ଏକ-୪୭ ଥିଲେ ୩ ଲକ୍ଷ ୩୦ ହଜାର, ମୋର୍ଟାର୍ ଥିଲେ ୨ ଲକ୍ଷ ୭୫ ହଜାର, ଏସ୍ଏଲ୍ଆର୍ ଇନସାସ୍ ରାଇଫଲ୍ ଥିଲେ ୧ ଲକ୍ଷ ୬୫ ହଜାର, ଏକ୍ସ୯୫ ଟାକ୍ଟିକାଲ୍ ରାଇଫଲ୍ ଥିଲେ ୧ ଲକ୍ଷ ୧୦ ହଜାର ଏବଂ ୩୦୩ ରାଇଫଲ୍ ଧରି ଆତ୍ମସମର୍ପଣ କରିଥିଲେ ୮୨ ହଜାର ୫୦୦ ଟଙ୍କା ମିଳିବ ।
ସେହିପରି ଯେଉଁମାନଙ୍କ ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି ସେମାନେ ଆତ୍ମସମର୍ପଣ କଲେ ମିଳିବ ୫ ଲକ୍ଷ ଟଙ୍କା । ଖାଲି ସେତିକି ନୁହେଁ ସେମାନଙ୍କ ବିରୁଦ୍ଧରେ ଥିବା ଛୋଟ ମାମଲାଗୁଡ଼ିକୁ ରାଜ୍ୟ ସରକାର ପ୍ରତ୍ୟାହାର କରିନେବେ । ଏହା ସହିତ ବିଭିନ୍ନ ସରକାରୀ ଯୋଜନା ମଧ୍ୟ ପ୍ରଦାନ କରାଯିବ ।
ସମ୍ବିଧାନ ଦିବସରେ ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ୪୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ । ଏମାନଙ୍କ ହାତରେ ଛତିଶଗଡ଼ ପୋଲିସ ସମ୍ବିଧାନ ପୁସ୍ତକ ଧରାଇଥିଲା ।