ଭୁବନେଶ୍ୱର: ରାଜ୍ୟରେ ୨୦ରୁ କମ୍ ପିଲା ଥିବା ବିଦ୍ୟାଳୟ ଗୁଡ଼ିକୁ ଆଉ ଖୋଲାଯିବ ନାହିଁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁବାର ଗୃହରେ ସୂଚନା ଦେଇଛନ୍ତି । ଯେଉଁଠି ୨୦ରୁ ଅଧିକ ପିଲା ଥିବେ ତାହାକୁ ବିଚାର କରାଯିବ ବୋଲି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।
ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ରହିଥିଲା । ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗକୁ ପଚରାଯାଇଥିବା ପ୍ରଶ୍ନର ମନ୍ତ୍ରୀ ଉତ୍ତର ରଖିଛନ୍ତି । ବିଜେଡ଼ି ସଦସ୍ୟ ପ୍ରସନ୍ନ କୁମାର ଆଚାର୍ଯ୍ୟ କହିଥିଲେ ଯେ ଯେଉଁ ବିଦ୍ୟାଳୟରେ ୨୦ରୁ କମ୍ ଛାତ୍ରଛାତ୍ରୀ ରହିବେ ସେହି ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହା ଦ୍ୱାରା ଯେଉଁଠାରେ ଯିବା ଆସିବାର ସୁବିଧା ନ ଥିଲା, ଅର୍ଥାତ୍ ପିଲାମାନେ ନଦୀ ନାଳ ପାର ହୋଇ ଦୂର ବିଦ୍ୟାଳୟକୁ ପଢ଼ିବାକୁ ଗଲେ । ଫଳରେ ପିଲାମାନେ ସ୍କୁଲ ଯିବା ବନ୍ଦ କରିଦେଲେ ଏବଂ ଡ୍ରପ୍ ଆଉଟ୍ ସଂଖ୍ୟା ବଢ଼ିଗଲା । ବିଧାୟକ ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ ଯେ ଏହି ସ୍କୁଲ ଗୁଡ଼ିକୁ ଖୋଲିବାକୁ ସରକାର ପୁନର୍ବିଚାର କରିବେ କି ? ଏହା ଦ୍ୱାରା ଛାତ୍ର ସଂଖ୍ୟା ବଢ଼ିବ ଏବଂ ଡ୍ରପ୍ ଆଉଟ୍ ସଂଖ୍ୟା କମିବ ବୋଲି ସେ କହିଥିଲେ ।
ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର କହିଥିଲେ ଯେ ବିଗତ ସରକାର ହିଁ ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ଡ୍ରପ୍ ଆଉଟ୍ ସଂଖ୍ୟା କମ୍ କରିବାକୁ ଏ ସରକାର ଗୁରୁତର ସହିତ ବିଚାର କରୁଛନ୍ତି । ପିଲାମାନେ ଯେପରି ଶିକ୍ଷାଦାନରୁ ବଞ୍ଚିତ ହେବେ ନାହିଁ ସେଥିପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଗତ ସରକାର ବିଚାର ନ କରି ତରବରିଆ ଭାବେ ଅନେକ ବିଦ୍ୟାଳୟକୁ ବନ୍ଦ କରିଦେଇଥିଲେ । କିନ୍ତୁ ଆମ ସରକାର ଏହାକୁ ବିଚାର କରିଛନ୍ତି । ଯେଉଁ ସ୍କୁଲରେ ୨୦ରୁ ଉର୍ଦ୍ଧ୍ୱ ପିଲା ଅଛନ୍ତି, ଜିଲ୍ଲା କମିଟିରେ ପ୍ରସ୍ତାବ ଦେଲେ ରାଜ୍ୟ କମିଟି ତାର ତଦନ୍ତ କରିବ ଏବଂ ଏହା ଉପରେ ବିଚାର କରାଯିବ । ଯଦି ସେହି ସ୍କୁଲ ଗୁଡ଼ିକ ପୁନଃ ଖୋଲିବାକୁ ଯୋଗ୍ୟତା ହାସଲ କରିବେ ତାହା ହେଲେ ନିଶ୍ଚିତ ଖୋଲାଯିବ । ଚଳିତ ସରକାର ବନ୍ଦ ହୋଇଯାଇଥିବା ୪୬ଟି ସ୍କୁଲକୁ ଖୋଲିଥିବାବେଳେ ଆହୁରି ୫ଟି ବିଦ୍ୟାଳୟ ଉପରେ ବିଚାର ଜାରି ରହିଛି । କିନ୍ତୁ ୨୦ରୁ କମ୍ ପିଲା ଥିବା ବିଦ୍ୟାଳୟଗୁଡ଼ିକୁ ଆଉ ଥରେ ଖୋଲାଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।