ଭୁବନେଶ୍ୱର: ଆଜିଠୁ ଧାନ କିଣା ଆରମ୍ଭ । ସମ୍ବଲପୁର ଓ ବରଗଡ ଜିଲ୍ଲାରେ ଆଜିଠୁ ଆରମ୍ଭ ହେବ ଚଳିତ ବର୍ଷର ଖରିଫ ଧାନ ସଂଗ୍ରହ । ଟୋକନକୁ ନେଇ ଥିବା ଦ୍ବନ୍ଦ୍ବ କିଛିଟା ଦୂର ହୋଇଛି । ପୂଜାର୍ଚ୍ଚନା ପରେ ବରେଇପାଲି ମଣ୍ଡିରେ ଧାନ କିଣା ଆରମ୍ଭ ହେବ । ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ ବିକ୍ରି ପାଇଁ ମୋଟ ୧୧୭ଟି ମଣ୍ଡି ଖୋଲିଥିବା ବେଳେ, ୬୦ ହଜାର ୬୧୪ ଜଣ ଚାଷୀ ପଂଜିକରଣ କରିଛନ୍ତି । ସେହିପରି ବରଗଡ଼ ଜିଲ୍ଲାରେ ମୋଟ ୨୩୦ ମଣ୍ଡି ଖୋଲିଥିବା ବେଳେ ୧ ଲକ୍ଷ ୬୪ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି ।
ଏହି ଧାନ ସଂଗ୍ରହ ପାଇଁ ୪୫ଟି ପେକ୍ସ, ୧୧ ଏସଏଚଜି ଓ ୪୬ଟି ମିଲର ନିୟୋଜିତ ହୋଇଛନ୍ତି । ବରଗଡରେ ଆଜି ସୁଦ୍ଧା ମୋଟ ୭୩ ହଜାର ଚାଷୀଙ୍କ ପାଖକୁ ଟୋକନ ଆସିଥିବା ଜଣାପଡିଛି । ଅନ୍ୟପଟେ ଚଳିତ ବର୍ଷ ମଣ୍ଡି ମାନଙ୍କରେ ଧାନ ସଂରକ୍ଷଣରେ ଅବ୍ୟବସ୍ଥା, ଖୋଲା ଆକାଶ ତଳେ ଧାନି କିଣାବିକାକୁ ନେଇ ଚାଷୀ ଅସନ୍ତୋଷ ରହିଥିବା ଦେଖିବାକୁ ମିଳିଛି ।