ନୂଆପଡା: ବହୁ ପ୍ରତିକ୍ଷୀତ ନୂଆପଡା ନିର୍ବାଚନ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି । ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ସାଧାରଣ ଜନତା । ମୋଟ ୩୫୮ ବୁଥରେ ଚାଲିଛି ଭୋଟ ଗ୍ରହଣ । ୩୧୧ ଟି ବୁଥରେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମତାଦାନା ହେବା ବେଳେ ବାକି ୪୭ ବୁଥରେ ସକାଳ ୭ରୁ ଅପରାହ୍ନ ୪ଟା ଯାଏ ଚାଲିବ ଭୋଟ ଗ୍ରହଣ ପ୍ରକ୍ରିୟା । ୩୫୮ ବୁଥରେ ୨ ଲକ୍ଷ ୫୩ ହଜାର ୬୨୪ ଭୋଟର ମତଦାନ ସାବ୍ୟସ୍ତ କରିବା ବେଳେ ସେଥିମଧ୍ୟରୁ ମହିଳା ଭୋଟର ୧ ଲକ୍ଷ ୨୯ ହଜାର ୪୯୫ , ପୁରୁଷ ଭୋଟର ୧ଲକ୍ଷ ୨୪ ହଜାର ୧୦୮ ଓ ୨୧ ଜଣ ତୃତୀୟ ଲିଙ୍ଗୀ ଭୋଟର୍ ରହିଛନ୍ତି ।
ତେବେ ୩୫୮ଟି ବୁଥ ମଧ୍ୟରୁ ୧୦୧ ଗୁରୁତ୍ୱପୂର୍ଣ୍ଣ ବୁଥ୍ ରହିଛି । ଏହି ୧୦୧ ବୁଥ୍ ମଧ୍ୟରୁ ୪୭ ମାଓବାଦୀ ପ୍ରଭାବିତ ଅଞ୍ଚଳରେ, ୫୪ଟି ଆଇନଶୃଙ୍ଖଳା ପ୍ରଭାବିତ ଅଞ୍ଚଳରେ ରହିଛି । ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଥିବା ବୁଥ୍ ମଧ୍ୟରୁ ୮ଟି ଦୁର୍ଗମ ପାହାଡ଼ ଅଞ୍ଚଳରେ ରହିଛି । ଏହିସବୁ ଭୋଟ କେନ୍ଦ୍ରକୁ ପୋଲିଂ ପାର୍ଟି ହେଲିକପ୍ଟର ଯୋଗେ ଯାଇ ଭୋଟ ଗ୍ରହଣ କରିବେ । ୮ଟି ବୁଥ ପାଇଁ ୪୮ ଜଣ ପୋଲିଂପାର୍ଟି ନିୟୋଜିତ ହୋଇଛନ୍ତି । ମାଓବାଦୀ ପ୍ରବଳ ଅଞ୍ଚଳ ହୋଇଥିବାରୁ ଏଠାକୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି ।
ତେବେ ଆଜି ନୂଆପଡ଼ା ଉପନିର୍ବାଚନ ହେଉଥିବା ବେଳେ ଉପନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ପ୍ରକାଶ ପାଇବ । ବିଜେଡିର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଉପନିର୍ବାଚନ ପାଇଁ ବିଜେପି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ମୈଦାନରେ ଓହ୍ଲାଇଛି ।