ଭୁବନେଶ୍ୱର: ସର୍ବଭାରତୀୟ ଡିଜିପି ସମ୍ମିଳନୀ ପାଇଁ ଭୁବନେଶ୍ୱରକୁ ପର୍ଯ୍ୟାୟ କ୍ରମେ ବହୁ ଉଚ୍ଚ ପଦାଧିକାରୀଙ୍କ ଆଗମନ ଜାରି ରହିଛି । ଏହି କ୍ରମରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ନ୍ୟାସନାଲ୍ ସିକ୍ୟୁରିଟି ଆଡଭାଇଜର୍) ଅଜିତ୍ ଡୋଭାଲ ଭୁବନେଶ୍ୱରରେ ପହଁଚିଛନ୍ତି । ସେ ଆୟୋଜିତ ଡିଜିପି ଆଇଜିପି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନଏସଏ ଅଜିତ୍ ଡୋଭାଲ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିବା ପରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ରାଜ୍ୟ ଅତିଥି ଭବନକୁ ନିଆଯାଇଛି ।
ସେହିପରି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, ବି. ସଞ୍ଜୟ କୁମାର, କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ପହଁଚି ସାରିଛନ୍ତି । ସେହିପରି ସିବିଆଇ ନିର୍ଦ୍ଦେଶକ, ତେଲେଙ୍ଗାନା ଡିଜିପି ଓ ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ପୁଲିସ ଏକାଡେ଼ମୀର ନିର୍ଦ୍ଦେଶକ ମଧ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି ।
ସକାଳୁ ଏପର୍ଯ୍ୟନ୍ତ ତେଲେଙ୍ଗାନା ଡିଜିପି, ଆସାମ ଡିଜିପି, ପଣ୍ଡିଚେରୀ ଡିଜିପି, ମିଜୋରାମ ଡିଜିପି, ଉତ୍ତରାଖଣ୍ଡ ଡିଜିପି ପ୍ରମୁଖ ପହଞ୍ଚିଥିବା ବେଳେ ମହାରାଷ୍ଟ୍ର ଡିଜିପି, ପଶ୍ଚିମବଙ୍ଗ ଡିଜିପି ଓ ହିମାଚଳ ପ୍ରଦେଶ ଡିଜିପିଙ୍କ ସମେତ ପିଏମଓ ଅଫିସର ବରିଷ୍ଠ ଅଧିକାରୀମାନେ ବି ଆସୁଛନ୍ତି। ସେମାନେ ସିଧାସଳଖ ରାଜ୍ୟ ଅତିଥି ଭବନକୁ ଯାଉଛନ୍ତି । ଏଥିପାଇଁ ପୁଲିସ କମିଶନରଙ୍କ ସମେତ ଏସପିଜି ଟିମ୍ ସିକ୍ୟୁରିଟି ଫୋର୍ସ ସ୍ପେସିଆଲ ଭ୍ୟାନରେ ଅତିଥିଙ୍କୁ ରିସିଭ କରି ରାଜ୍ୟ ଅତିଥି ଭବନ ପରିସରକୁ ନେଉଛନ୍ତି । ଜାତୀୟ ସ୍ତରର ବରିଷ୍ଠ ଅଧିକାରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି ।