ପୁରୀ: ନୂଆବର୍ଷ ପାଇଁ ଆସନ୍ତାକାଲି ଶ୍ରୀଜଗନ୍ନାଥଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଡିସେମ୍ବର ୩୧ ରେ ମାତ୍ର ୩ ଘଣ୍ଟା ନିଦ୍ରା ଯିବେ ଶ୍ରୀଜିଉ । ଡିସେମ୍ବର ୩୧ ତାରିଖରେ ରାତି ୧୧ ଟାରେ ପହୁଡ ହୋଇ ରାତ୍ର ୨ ଟାରେ ଦ୍ୱାର ଫିଟିବ । ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଛତିଶାନିଯୋଗ ଓ ନୀତି ସବକମିଟି ବୈଠକର ଅନୁମୋଦିତ ନୀତି ନିଷ୍ପତ୍ତି ଅନୁସାରେ ହେବ । ସଅଳ ନୀତିକାନ୍ତି ହେଲେ ସଅଳ ପହୁଡ ଏବଂ ସଅଳ ଦ୍ଵାରଫିଟା ନୀତି ହେବ । ନୂଆବର୍ଷରେ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଛି । ତେବେ ୧ ଜାନୁଆରୀରେ ବାହାରକାଠରୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।
ସେପଟେ ଭିଡକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୧୦ ଜଣ ଅତିରିକ୍ତ SP, ୩୩ ଜଣ DSP ଏବଂ ୩ ଶହରୁ ଅଧିକ ପୋଲିସ ଅଧିକାରୀଙ୍କ ଏକ ସ୍ୱତନ୍ତ୍ର କମାଣ୍ଡ ଗଠନ ହୋଇଛି । ୬୨ ଜଣ ଇନ୍ସପେକ୍ଟରଙ୍କୁ ସୁରକ୍ଷା ଦାୟିତ୍ୱରେ ରଖାଯାଇଛି । ଯେପରି ଭକ୍ତମାନେ ଶୃଙ୍ଖଳିତ ଭାବେ ସିଂହଦ୍ୱାର ଦେଇ ପ୍ରବେଶ କରିପାରିବେ । ସେନେଇ ବଡ଼ଦାଣ୍ଡରେ ଲମ୍ବା ବ୍ୟାରିକେଡ୍ କରାଯାଇଛି । ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିବେ । ଅନ୍ୟ ତିନୋଟି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ଓ ସୁବିଧାର ବ୍ୟବସ୍ଥା କରାଯିବା ସହ ମନ୍ଦିର ପ୍ରଶାସନ ତରଫରୁ ପାନୀୟ ଜଳ, ଛାଉଣୀ ଏବଂ ଜୋତା ଷ୍ଟାଣ୍ଡର ମଧ୍ୟ ସଂଖ୍ୟା ବଢ଼ାଯାଇଛି । ପୁରୀ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ଆଡଭାଇଜରୀ ଜାରି କରାଯାଇଛି ।