ନୂଆଦିଲ୍ଲୀ: ଅଷ୍ଟମ ଶ୍ରେଣୀ ସାମାଜିକ ପାଠ୍ୟ ପୁସ୍ତକକୁ ନେଇ ଉପୁଜିଥିବା କିଛି ଦ୍ୱନ୍ଦ୍ୱକୁ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (ଏନସିଇଆରଟି) ଦୂର କରିଛି । ସାମାଜିକ ପାଠ୍ୟ ପୁସ୍ତକର ଦ୍ୱିତୀୟ ଖଣ୍ଡରେ ଆଞ୍ଚଳିକ ଆନ୍ଦୋଳନ ସ୍ଥାନିତ କରାଯିବ । ଯାହା ଚଳିତ ଶିକ୍ଷା ବର୍ଷର ସେପ୍ଟେମ୍ବର ସୁଦ୍ଧା ପ୍ରକାଶ ପାଇବ ବୋଲି ଏନସିଇଆରଟି ପକ୍ଷରୁ କୁହାଯାଇଛି ।
ଏନସିଇଆରଟି ଏକ ପ୍ରେସ୍ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛି ଯେ ସଦ୍ୟ ପ୍ରକାଶିତ ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ "ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଏଣ୍ଡ୍ ବିୟଣ୍ଡ" ପ୍ରଥମ ଖଣ୍ଡ ଅଟେ । ଖୁବ ଶୀଘ୍ର ଏହାର ଦ୍ୱିତୀୟ ଖଣ୍ଡ ପ୍ରକାଶ ପାଇବାକୁ ଯାଉଛି, ଯାହାକି ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ରହିଛି । ଚଳିତ ଶିକ୍ଷା ବର୍ଷର ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଦ୍ୱିତୀୟ ଖଣ୍ଡ ପ୍ରକାଶ ପାଇବ । ଯେଉଁଥିରେ ଆଞ୍ଚଳିକ ଆନ୍ଦୋଳନ ତଥା ସଶସ୍ତ୍ର ବିଦ୍ରୋହକୁ ସ୍ଥାନିତ କରାଯାଇଛି । ଯେପରିକି ପାଇକ ବିଦ୍ରୋହ/ ଓଡ଼ିଶାର ଖୋର୍ଦ୍ଧା ବିଦ୍ରୋହ ଏବଂ କୁକା ଆନ୍ଦୋଳନ/ପଞ୍ଜାବରେ ଶିଖ ବିଦ୍ରୋହ ଇତ୍ୟାଦି ବିଷୟଗୁଡ଼ିକ ଉପରେ ଆଲୋଚନା କରାଯିବ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଏନସିଇଆରଟି ଦ୍ୱାରା ସଦ୍ୟ ପ୍ରକାଶିତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ "ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଏଣ୍ଡ୍ ବିୟଣ୍ଡ" ପୁସ୍ତକର “ଦ କଲୋନିଆଲ ଏରା ଇନ୍ ଇଣ୍ଡିଆ” ଅଧ୍ୟାୟରେ ଓଡ଼ିଶାର ପାଇକ ବିଦ୍ରୋହକୁ ବାଦ୍ ଦିଆଯାଇଛି । ପୁସ୍ତକରେ ଇଂରେଜଙ୍କ ବିରୋଧରେ ହୋଇଥିବା ୪ଟି ପ୍ରଥମ ସଂଗ୍ରାମ ବିଷୟ ସାମିଲ ରହିଛି । କିନ୍ତୁ ଓଡ଼ିଶାର ପାଇକ ବିଦ୍ରୋହକୁ ସ୍ଥାନ ମିଳି ନାହିଁ । ପୁସ୍ତକରେ ୧୭୭୦ରେ ସନ୍ନ୍ୟାସୀ ଫକୀରଙ୍କ ବିଦ୍ରୋହ, ଛୋଟନାଗପୁର ଅଂଚଳର ୧୮୩୧-୩୨ର କୋଲ ବିଦ୍ରୋହ, ୧୮୫୫-୫୬ରେ ଓଡ଼ିଶା ବିହାର ଓ ବଙ୍ଗଳାରେ ସାନ୍ତାଳ ଜନଜାତିଙ୍କ ବିଦ୍ରୋହ ଏବଂ ଉତ୍ତରପୂର୍ବ ବଙ୍ଗଳାର ୧୮୫୦-୬୨ର ଇଣ୍ଡିଗୋ ବିଦ୍ରୋହକୁ ସାମିଲ କରାଯାଇଛି । ଯାହାକୁ ବୁଦ୍ଧିଜୀବି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।