କଟକ: ପବିତ୍ର ଶ୍ରାବଣ ମାସର ଆଜି ଦ୍ଵିତୀୟ ସୋମବାର । ପ୍ରସିଦ୍ଧ ଶୈବପୀଠମାନଙ୍କରେ ଚାଲିଛି ବୋଲବମ ଯାତ୍ରା । ଶୈବଭକ୍ତମାନେ ଆନନ୍ଦରେ ଜଳନେଇ ବିଭିନ୍ନ ଶିବମନ୍ଦିରରେ ଜଳଲାଗି କରିଛନ୍ତି । ଏହି ଅବସରରେ କଟକ ବିଡାନାସୀ କୁମ୍ଭାର ସାହି ତ୍ରିନାଥ ଯୁବକ ସଙ୍ଘର ସଦସ୍ୟମାନେ ପ୍ରସ୍ତୁତ କରିଛନ୍ତି ଏକ ଚାଳିଶ ଫୁଟ ଲମ୍ବର ବାହୁଙ୍ଗୀ । ଏହାର ଚଉଡା ୧୫ ଫୁଟ ରହିଥିବା ବେଳେ ଧନୁ ଆକୃତି ରେ ତିଆରି ଏହି ବିଶାଳ ବାହୁଙ୍ଗୀଟିକୁ ବାଉଁଶରେ ତିଆରି କରାଯାଇଛି। ଯାହାକୁ ତିଆରି କରିବାକୁ ୫ ଦିନ ସମୟ ଲାଗିଛି ।
ଏହି ବିଶାଳ ବାହୁଙ୍ଗୀଟିକୁ ଫୁଲରେ ଅତି ସୁନ୍ଦର ଭାବରେ ସଜାଯାଇଛି । ତିନୋଟି ପିତ୍ତଳ ଗରାରେ ୬୦ ଲିଟର କ୍ଷୀର ଓ ୨୦ ଲିଟର ଜଳ ଏହି ବାହୁଙ୍ଗିରେ ବାନ୍ଧି ଯାତ୍ରା ଆରମ୍ଭ କରିଛନ୍ତି ଶୈବ ଭକ୍ତ ଯୁବକମାନେ । ଏହି ବାହୁଙ୍ଗିକୁ ଉଭୟ ପଟେ ମୋଟ ୩୦ ଜଣ କାଉଡ଼ିଆ ଭାଇ କାନ୍ଧେଇ ନେଇଛନ୍ତି। ମହାନଦୀ ଚହଟା ଘାଟରୁ ବାହାରି ବିଡାନାସି, ଦେଉଳ ସାହି, ସେଲଟର ଛକ, ସତୀ ଚୌରା, ସିଡ଼ିଏ,ନରାଜ,ମୁଣ୍ଡଳୀ ଦେଇ ସର୍ପେଶ୍ୱର୍ ମହାଦେବଙ୍କ ନିକଟକୁ ଯାତ୍ରା ଆରମ୍ଭ କାଉଡିଆମାନେ । ଏହି ଅବସରରେ ସ୍ଥାନୀୟ ଅଂଚଳର ତିନି ଶହରୁ ଉର୍ଦ୍ଧ୍ୱ କାଉଡ଼ିଆ ଭକ୍ତ ସାମିଲ ହୋଇଛନ୍ତି ।