କଟକ: ଓଡ଼ିଶା ହାଇକୋର୍ଟ ଏକ ଗଣହତ୍ୟା ମାମଲାରେ ବଡ଼ ରାୟ ଶୁଣାଇଛନ୍ତି । ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୨ ଅଭିଯୁକ୍ତଙ୍କୁ ହାଇକୋର୍ଟ ସୋମବାର ଦୋଷମୁକ୍ତ କରିଛନ୍ତି । ପ୍ରମାଣ ଅଭାବରୁ ହାଇକୋର୍ଟ ଅଭିଯୁକ୍ତଙ୍କୁ ଦୋଷମୁକ୍ତ ବୋଲି ରାୟ ଶୁଣାଇଛନ୍ତି । ଅଭିଯୁକ୍ତ ଦ୍ୱୟ ହେଲେ ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା କଳାପାଟନାଳି ଗାଁର ପ୍ରକାଶ ବେହେରା ଓ କିଶୋରନଗର ଥାନା ଗମ୍ଭାରୀମଳିହା ଗାଁର ନନ୍ଦକିଶୋର ସେଠୀ ।
୨୦୧୭, ଅକ୍ଟୋବର ୧୦ରେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅଧିନସ୍ଥ ଗମ୍ଭାରୀମଳିହା ଗାଁର ବିରଞ୍ଚି ନାୟକଙ୍କ ପରିବାରର ୩ ଜଣଙ୍କୁ ଦୁର୍ବୃତ୍ତମାନେ ଅତି ନିର୍ମମଭାବେ ହତ୍ୟା କରିଥିଲେ । ସ୍ତ୍ରୀ ତାରିଣୀ ନାୟକଙ୍କ ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଥିବାବେଳେ ସ୍ୱାମୀ ତାରିଣୀ ନାୟକ ଏବଂ ନାବାଳକ ପୁଅକୁ ଅପହରଣ କରି ଘରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ହତ୍ୟା କରାଯାଇଥିଲା । ନିକଟସ୍ଥ ଏକ ଜଙ୍ଗଲରୁ ପୋଲିସ ସେମାନଙ୍କ ମୃତ ଦେହ ଉଦ୍ଧାର କରିଥିଲା । ବିରଞ୍ଚିଙ୍କ ସାନ ଭାଇ ସୁଶାନ୍ତ ନାୟକ କିଶୋରନଗର ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଏ ନେଇ କିଶୋରନଗର ପୋଲିସ ପ୍ରକାଶ ବେହେରା ଏବଂ ନନ୍ଦକିଶୋର ସେଠୀଙ୍କୁ ଗିରଫ କରିଥିଲା । ଟଙ୍କାକୁ ନେଇ ଏହି ବିଭତ୍ସ ହତ୍ୟାକାଣ୍ଡ ହୋଇଥିଲା । ଏକ ମହିଳା ଗ୍ରୁପରୁ ତାରିଣୀ ଟଙ୍କା ଉଠାଇଥିଲାବେଳେ ଠାକୁରଗଡ଼ ଥାନା କଳାପାଟନାଳି ଗାଁର ପ୍ରକାଶ ବେହେରା ଓ କିଶୋରନଗର ଥାନା ଗମ୍ଭାରୀମଳିହା ଗାଁର ନନ୍ଦକିଶୋର ସେଠୀ ଏହି ଟଙ୍କା ହଡ଼ପ କରିବାକୁ ଚେଷ୍ଟା କରିଥିଲେ । ଏଥିରେ ସଫଳ ନ ହେବାରୁ ପରିବାରର ୩ ଜଣଙ୍କୁ ହତ୍ୟା କରିଥିଲେ ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଥିଲା । ୨୦୨୪, ସେପ୍ଟେମ୍ବର ୨୭ରେ ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦୁଇ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ । ଉଭୟ ତଳ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାର ଶୁଣାଣି କରି ପ୍ରମାଣ ଅଭାବରୁ ଦୁଇ ଜଣଙ୍କୁ ହାଇକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।