ଭୁବନେଶ୍ୱର: ଛାତ୍ରୀ ଆତ୍ମହତ୍ୟା ମାମଲାକୁ ନେଇ ବିବାଦ ଘେରକୁ ଆସିଥିବା ଓଡ଼ିଶାର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ କିଟ୍ ବିଶ୍ୱବିଦ୍ୟାଳୟ ଏବେବି ଅଶାନ୍ତ ରହିଛି । ଗତକାଲିଠାରୁ ନବ ନିର୍ମାଣ କୃଷକର ଛାତ୍ର ସଂଗଠନ ଗେଟ୍ ସମ୍ମୁଖରେ ଛାତ୍ରୀଙ୍କୁ ନ୍ୟାୟ ଦେବା ଦାବିରେ ଆନ୍ଦୋଳନରେ ବସିଛନ୍ତି । ସେପଟେ କିଟ୍ ପ୍ରତିଷ୍ଠାତା ଡାକ୍ତର ଅଚ୍ୟୁତ ସାମନ୍ତ ସେମାନଙ୍କୁ ଆଜି ସକାଳେ ଭେଟିଥିବାବେଳେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି ।
ଅନ୍ୟପକ୍ଷରେ ଗତକାଲି ନେପାଳୀ ଛାତ୍ରୀର ମୃତ ଦେହକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଏମସ୍ ମେଡ଼ିକାଲ ପକ୍ଷରୁ ପରିବାରକୁ ମୃତ ଦେହ ହସ୍ତାନ୍ତର କରାଯିବା ପରେ ସେମାନେ ନେପାଳ ଫେରିଛନ୍ତି । ସେପଟେ କିଟ୍ ଛାଡ଼ିଥିବା ଛାତ୍ରଛାତ୍ରୀମାନେ ଭୁବନେଶ୍ୱରକୁ ଫେରିଥିବାବେଳେ ହଷ୍ଟେଲକୁ ଆସିବାକୁ ଅମଙ୍ଗ ହୋଇଛନ୍ତି ।
ଆନ୍ଦୋଳନରତ ଛାତ୍ରମାନଙ୍କୁ ମାଡ଼ ମାରିବା ଅଭିଯୋଗରେ ଇନ୍ଫୋସିଟି ଥାନା ପୁଲିସ ୫ କର୍ମଚାରୀଙ୍କୁ ଗିରଫ କରିଛି । ସେହିଭଳି ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ୩ଜଣଙ୍କୁ ନିଲମ୍ବନ କରିଛନ୍ତି ।
କିଟ୍ ଛାତ୍ରୀ ନିବାସରେ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଛାତ୍ରୀଙ୍କୁ ନ୍ୟାୟ ଦାବିରେ ନେପାଳର ଛାତ୍ରଛାତ୍ରୀମାନେ ହୋହାଲ୍ଲା କରିବାରୁ ସେମାନଙ୍କୁ ହଷ୍ଟେଲରୁ ତଡ଼ି ଦିଆଯାଇଥିଲା । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ମଧ୍ୟ ଅନେକ ତର୍କ ବିତର୍କ ଲାଗି ରହିଛି । କିଟ୍ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ କଠୋର ହେଲେ ରାଜ୍ୟ ସରକାର । ଏଥିପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି । ଏହି ମାମାଲା ପାଇଁ ରାଜ୍ୟ ସରକାର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ଗଠନ କରିଛନ୍ତି । ଏହି ଟିମ୍ ମାମଲାର ତଦନ୍ତ କରିବ । ଏଥିରେ ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନେ ରହିଛନ୍ତି । ଏଥିସହ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ମଧ୍ୟ ଏହି ଟିମରେ ସାମିଲ ଅଛନ୍ତି । କମିଟିରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବି ରହିଛନ୍ତି ।