ପୁରୀ: ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀରୁ ଓହ୍ଲାଇ ଆସି ସ୍ନାନବେଦୀରେ ବିଜେ କରିଛନ୍ତି କୋଟି ଓଡ଼ିଆଙ୍କ ମଉଡ଼ମଣି ଶ୍ରୀଜିଉ। ଦଇତାପତି ସେବାୟତମାନେ ଠାକୁରଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନ ମଣ୍ଡପରେ ବିଜେ କରାଇଛନ୍ତି । ୧୦୮ ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି।
ପରମ୍ପରା ଅନୁଯାୟୀ ସ୍ନାନ ମଣ୍ଡପରେ ବିରାଜିତ ଶ୍ରୀଜୀଉମାନଙ୍କର ସ୍ନାନ ନୀତି ପରେ ଗୋପାଳ ତୀର୍ଥ ମଠ ଓ ରାଘବ ଦାସ ମଠରୁ ଆସିଥିବା ଗଜାନନ ବେଶ ଉପକରଣ ଯଥାକ୍ରମେ ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା, ସୁଦର୍ଶନଙ୍କୁ ଲାଗି କରାଯାଏ। ଗଜାନନ ବେଶ ସମ୍ପର୍କରେ ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଉଲ୍ଲେଖ ଅଛି ଯେ, ସ୍ନାନ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କର ଜଳ ଲାଗି ନୀତି ବଢିବା ପରେ ଲେଙ୍କା ଓ ଘଣ୍ଟ କାହାଳୀ ସହ ଗୋପାଳତୀର୍ଥ ମଠରୁ ବଡ଼ ବାଡ଼ (ବଳଭଦ୍ରଙ୍କ ବାଡ଼) ଓ ଶ୍ରୀସୁଦର୍ଶନଙ୍କର ଗଜାନନ ବେଶ ଉପକରଣମାନ ଆଣିବାକୁ ଯାଆନ୍ତି । ଏହା ପରେ ଗଜପତି ମହାରାଜା କିମ୍ବା ତାଙ୍କ ଅନୁପସ୍ଥିତରେ ମୁଦିରଥ ତିନି ବାଡ଼ରେ ରାଜ ନୀତି କରନ୍ତି । ରାଜ ନୀତି ବଢିବା ପରେ ସ୍ନାନ ମଣ୍ଡପରେ ଛେରା ପହଁରା ହୋଇଥାଏ। ତତ୍ପରେ ସୁଆରବଡୁ ସେବକ ପାଣି ପକାନ୍ତି। ପାଣି ପଡ଼ିଲା ପରେ ଜଗମୋହନରେ ଥିବା ବଡ଼ବାଡ଼ର (ବଳଭଦ୍ର) ବେଶ ଉପକରଣ ଓ ରାଘବ ଦାସ ମଠରୁ ଆସିଥିବା ଅନ୍ୟ ଦୁଇ ବାଡ଼ (ଜଗନ୍ନାଥ, ସୁଭଦ୍ରା)ର ବେଶ ଉପକରଣମାନ ସ୍ନାନ ମଣ୍ଡପରେ ରଖାଯାଏ । ଭିତରଚ୍ଛ, ଚଳିଚ୍ଛ, ପୁଷ୍ପାଳକ,ଖୁଣ୍ଟିଆ, ଦଇତାପତିମାନଙ୍କ ସହ ତିନିବାଡ଼ରେ ହାତୀ ବେଶ କରନ୍ତି । ବେଶ ବଢିବା ପରେ ତିନି ବାଡ଼ରେ କର୍ପୂର ଲାଗି ହୋଇଥାଏ ଏବଂ ପରେ ପରେ ସ୍ନାନ ବେଦୀ ଉପରେ ଶୋଧ କରାଯାଏ ଓ ଭୋଗ ପାଇଁ ପ୍ରସ୍ତୁତି ହୋଇଥାଏ। ସୂଚନାଯୋଗ୍ୟ ଯେ ଏହି ଦିନ ମାତ୍ର ଗୋଟିଏ ଭୋଗ ହୋଇଥାଏ। ଭୋଗ ଶେଷ ପରେ ସ୍ନାନ ବେଦୀ ଉପରକୁ ସର୍ବସାଧାରଣଙ୍କୁ ଦର୍ଶନ ନିମିତ୍ତ ଅନୁମତି ଦିଆଯାଏ।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ହାତୀ ବେଶ ବା ଗଜାନନ ବେଶ ସମ୍ପର୍କରେ ରହିଥିବା କିମ୍ବଦନ୍ତୀ ଅନୁଯାୟୀ ପଞ୍ଚଦଶ ଶତାବ୍ଦୀରେ ମହାରାଷ୍ଟ୍ରରୁ ମହାଗାଣପତ୍ୟ ସମ୍ପ୍ରଦାୟର ଶ୍ରୀ ଗଣପତି ଭଟ୍ଟ ନାମକ ଜନୈକ ବ୍ରାହ୍ମଣ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ସେ ପ୍ରଭୁ ଗଣେଶଙ୍କ ବଡ଼ ଭକ୍ତ ଥିଲେ ସ୍ନାନ ପୂର୍ଣ୍ଣିମୀ ଦିନ ଶ୍ରୀମନ୍ଦିରରୁ ପ୍ରବେଶ କରି ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ଗଣପତି ଭଟ୍ଟ ସନ୍ତୋଷ ଲାଭ କଲେ ନାହିଁ। ତେଣୁ ନିରାଶ ମନରେ ଶ୍ରୀକ୍ଷେତ୍ରରୁ କିଛି ବାଟ ଯିବା ପରେ ମୁକ୍ତେଶ୍ୱରଠାରେ ଶୂନ୍ୟବାଣୀ ଶୁଣି ପୁନଶ୍ଚ ଶ୍ରୀମନ୍ଦିରକୁ ଫେରିଆସି ଦେଖନ୍ତି ଯେ, ଠାକୁରମାନେ ତାଙ୍କର ଇଷ୍ଟ ଗଣପତି ରୂପ ଧାରଣ କରି ଧବଳ ରୂପରେ ବଳଭଦ୍ର ଓ କଳା ରୂପରେ ଜଗନ୍ନାଥ ଶୋଭା ପାଉଛନ୍ତି। ଗଣପତି ଭଟ୍ଟ ଏହି ଦୃଶ୍ୟ ଦେଖି ଭକ୍ତି ବିଭୋର ହୋଇପଡ଼ିଲେ ଓ ତତ୍କ୍ଷଣାତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚରଣାବିନ୍ଦରେ ସାଷ୍ଟାଙ୍ଗ ପ୍ରଣିପାତ ପୂର୍ବକ ପ୍ରାର୍ଥନା କରିଥିଲେ। ଗଣପତି ଭଟ୍ଟଙ୍କ ଗଣପତି ବେଶ ଦର୍ଶନର ସ୍ମାରକୀ ସ୍ୱରୂପ ଏହି ବେଶ ହୋଇ ଆସୁଛି।