ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣାର ଗୋଟିଏ ପରେ ଗୋଟିଏ ଛାତି ଥରା ଦୃଶ୍ୟ ସାମ୍ନାକୁ ଆସୁଛି । ଫଟୋ ଏବଂ ଭିଡ଼ିଓରୁ ଦୁର୍ଘଟଣାର ଭୟାବହତା ଅନୁମାନ କରାଯାଇପାରିବ । ବିମାନ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସିଛି । ଶତାଧିକ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । କିନ୍ତୁ ଏ ନେଇ କୌଣସି ଆନୁଷ୍ଠାନିକ ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ତେବେ ବିମାନରେ ଯାତ୍ରା କରୁଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସମ୍ବନ୍ଧରେ କୌଣସି ସୂଚନା ମିଳି ପାରି ନାହିଁ ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଏୟାର ଇଣ୍ଡିଆ ବିମାନରେ ମୋଟ ୨୪୨ ଯାତ୍ରୀଙ୍କ ମଧ୍ୟରୁ ୧୬୯ ଭାରତୀୟ, ୫୩ ବ୍ରିଟିଶ, ୧ କାନ୍ନାଡ଼ା ଏବଂ ୭ ପର୍ତ୍ତୁଗାଲ ନାଗରିକ ଥିଲେ । ସେଥିମଧ୍ୟରୁ ୧୧ ଜଣ ଛୋଟ ପିଲା ଏବଂ ୨ ଜଣ ନବଜାତ ଶିଶୁ ମଧ୍ୟ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରେ ୨ ଜଣ ପାଇଲଟ୍ ଏବଂ ୧୦ ଜଣ କ୍ର୍ୟୁ ମେମ୍ବର ମଧ୍ୟ ଥିଲେ । କ୍ୟାପଟେନ୍ ସୁମିତ ସାବରବାଲ ବିମାନକୁ ଚଲାଉଥିବାବେଳେ ତାଙ୍କ ସହିତ ଥିଲେ ଫାଷ୍ଟ ଅଫିସର୍ କ୍ଲାଇବ୍ କୁନ୍ଦର । କ୍ୟାପଟେନ୍ ସୁମିତଙ୍କର ୮,୨୦୦ ଘଣ୍ଟା ବିମାନ ଉଡ଼ାଇବାର ଅଭିଜ୍ଞତା ରହିଛି । ସେହିପରି କ୍ଲାଇବଙ୍କର ୧୧୦୦ ଘଣ୍ଟା ବିମାନ ଉଡ଼ାଇବାର ଅଭିଜ୍ଞତା ରହିଛି ।
ସର୍ଦ୍ଦାର ବଲ୍ଲଭ ଭାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏୟାର ଇଣ୍ଡିଆର (AI171) ବିମାନ ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା । ୨୩ ନମ୍ବର ରନ୍ ୱେରୁ ଟେକ୍ ଅଫ୍ କରିବାର କିଛି ସେକେଣ୍ଡରେ ପାଇଲଟ୍ ମେଡେ (MAYDAY) ସିଗନାଲ୍ ଦେଇଥିଲେ । ମେଡେ କଲର ଅର୍ଥ ହେଉଛି ପାଇଲଟ୍ କିଛି ସଙ୍କଟରେ ଅଛନ୍ତି । କିନ୍ତୁ ଏହା ପରେ ଆଉ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ମାତ୍ର କିଛି ସମୟ ପରେ, ଅର୍ଥାତ୍ ବିମାନ ବନ୍ଦରରୁ ମାତ୍ର ୧୫ କିଲୋମିଟରରେ ଦୂରରେ ଥିବା ମେଘାଣୀନଗର ନିକଟରେ ବିମାନଟି ନିମ୍ନଗାମୀ ହୋଇ ଏକ ବିଲ୍ଡିଂରେ ବାଡ଼େଇ ହୋଇଥିଲା । ଏହା ପରେ ବିମାନରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଉଠିଥିଲା । ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ସମ୍ପୂର୍ଣ୍ଣ ଅଞ୍ଚଳ କଳା ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା । ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଉଛି । ତେବେ ଯୁଦ୍ଧକାଳୀନ ସ୍ଥିତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଅଗ୍ନିଶମ ଓ ୯୦ ଜଣିଆ ଏନଡିଆରଏଫର ୬ଟି ଦଳ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।