ଯାଜପୁର: ଦୀର୍ଘ ବର୍ଷ ପରେ ଶାଶୁ ଘରକୁ ଫେରିଲା ସ୍ତ୍ରୀ, ହେଲେ ସାଥୀରେ ନ ଥିଲା ପୁଅ । ୭ ବର୍ଷର ପୁଅକୁ ଅଠର ହଜାର ଟଙ୍କାରେ ବିକ୍ରି କରିଦେଲା ଜନ୍ମକଲା ମା । ସେପଟେ ଘଟଣା ସମ୍ପର୍କରେ ପ୍ରଘଟ ହେବା ପରେ ପୁଣି ଥରେ ଘରୁ ଫେରାର ହୋଇଯାଇଛି ମାଆ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ବ୍ଲକ ବଡ଼ସୁଆର ପଂଚାୟତ ତୋଟାସାହି ଗ୍ରାମରେ । ପରିବାର ଲୋକେ ପୁଅକୁ ଫେରି ପାଇବାକୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଏ ଯାଏ କୌଣସି ସୁଫଳ ମିଳି ପାରି ନାହିଁ ।
ଯାଜପୁର ବ୍ଲକ ବଡ଼ସୁଆର ପଂଚାୟତ ତୋଟାସାହିର ପ୍ରଶାନ୍ତ ପରିଡ଼ା ଏବଂ ତାଙ୍କ ସ୍ତ୍ରୀ ପୂଜା ପରିଡ଼ାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ୪ ବର୍ଷ ପୂର୍ବେ ପୂଜା ନିଜର ୩ ବର୍ଷର ପୁଅକୁ ଧରି ବାପ ଘରକୁ ଚାଲି ଯାଇଥିଲେ । ପୁଅକୁ ବର୍ତ୍ତମାନ ୭ ବର୍ଷ ହେବା । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ସମାଧାନ ହେବା ପରେ ପୂଜା ପରିଡ଼ା ଘରକୁ ଫେରିଥିଲେ । ସେପଟେ ବାପା ଏବଂ ଜେଜେମା ମଧ୍ୟ ନାତିର ଆସିବା ବାଟକୁ ଚାହିଁ ବସିଥିଲେ । କିନ୍ତୁ ସ୍ତ୍ରୀ ଘରକୁ ଫେରିଥିବା ବେଳେ ସାଙ୍ଗରେ ପୁଅ ନ ଥିବା ଦେଖିବାକୁ ପାଇଥିଲେ ପ୍ରଶାନ୍ତ । ସ୍ତ୍ରୀ ପୂଜାଙ୍କୁ ପଚାରିବାରୁ ସେ ପୁଅକୁ ୧୮୦୦୦ ଟଙ୍କାରେ ବିକ୍ରି କରିଦେଇଛନ୍ତି ବୋଲି କହୁଛନ୍ତି । ଏ କଥା ଶୁଣିବା ପରେ ବାପା ଏବଂ ଜେଜେମା ଆଖିରୁ ନିଦ ହଜିଯାଇଛି । ବାପା ପେଟକୁ ଆଉ ଦାନା ଯାଉନି ।
ଅନ୍ୟପକ୍ଷରେ ପୁଅକୁ ଫେରି ପାଇବାକୁ ପ୍ରଶାନ୍ତ ପରିଡ଼ା ଗତ ବୁଧବାର ଦିନ ଯାଜପୁର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଲିଖିତ ଅଭିଯୋଗ କଲା ପରେ ମଧ୍ୟ ଏ ପର୍ଯ୍ୟନ୍ତ ପୁଅର କୌଣସି ସନ୍ଧାନ ମିଳିପାରି ନାହିଁ । ପୁଅକୁ କାହା ହାତରେ ବିକ୍ରି କରିଛନ୍ତି ସେ ନେଇ କିଛି ମୁହଁ ଖୋଲୁ ନ ଥିବାବେଳେ ଏବେ ପୂଜା ପରିଡ଼ା ଘରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି ।