ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ଭଙ୍ଗା ଯାଇଥିବା ମଠ ଓ ମନ୍ଦିରର ଏବେ ପୁଃନନିର୍ମାଣ କରିବେ ସରକାର । ଏନେଇ ମୋଟ୍ ୧୯ଟି ମଠର ପୁନଃବାସ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ୨୦୨୪ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଥିଲା । ଏହି ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଆଖପାଖରେ ଥିବା ଅନେକ ମଠମନ୍ଦିରକୁ ଭାଙ୍ଗି ଦେଇଥିଲେ ତତ୍କାଳୀନ ସରକାର । ୮୦୦ କୋଟି ଟଙ୍କା ବ୍ୟୟରେ ସମୁଦାୟ ୧୫.୬୪ ଏକର ଜମିରେ ଏହି ପ୍ରକଳ୍ପ ଠିଆ ହୋଇଛି । ଏଥିପାଇଁ ଅନେକ ପୁରାତନ ମଠ ଓ ମନ୍ଦିର ଗୁଡ଼ିକୁ ମାଟିରେ ମିଶାଇ ଦିଆଯାଇଥିଲା । ଏବେ ସେହି ସବୁ ମଠ ମନ୍ଦିର ଗୁଡ଼ିକୁ ପୁନଃ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର । ଏଥିପାଇଁ ବିଧିବଦ୍ଧ ଭାବରେ ଜାଗା ଚିହ୍ନଟ ହୋଇ ସାରିଛି ।
ଭକ୍ତମାନଙ୍କ ପୂଜାବିଧି ସୁବିଧାକୁ ଦୃଷ୍ଟିରେ ରଖି ମଠ ଓ ମନ୍ଦିର ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି । ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଗୋଟିଏ ଅଞ୍ଚଳ କିମ୍ବା ସ୍ଥାନରେ ହେବ ସମସ୍ତ ମଠର ବିଜେ ସ୍ଥଳି ଓ କୋଠାରୀ। ଏହା ଫଳରେ ମନ୍ଦିର ନୀତିକାନ୍ତି ସମ୍ପନ୍ନ କରିବା ସହଜ ହେବ। ଏନେଇ ସରକାର ଦେବୋତ୍ତର ବିଭାଗ ମୁଖ୍ୟଙ୍କ ସହ ଦୁଇଥର ବୈଠକ କରିସାରିଛନ୍ତି। ଏଥିସହ ସମସ୍ତ ମଠ ମୁଖ୍ୟ, ଜିଲାପାଳ, ମନ୍ଦିର ପ୍ରଶାସକ, ପରିଚାଳନା କମିଟି ସହ ମଧ୍ୟ ଆଲୋଚନା ହୋଇସାରିଛି।