ଭୁବନେଶ୍ୱର: ରାଜ୍ୟରେ ବେଆଇନ ନିଶା କାରବାର ରୋକିବାକୁ କରାଯିବ ସଚେତନା କାର୍ଯ୍ୟକ୍ରମ । ଗାଁ ଗାଁରେ ସଚେତନତା ରଥ ବୁଲିବା ସହିତ ପାଲା, ଦାସକାଠିଆ ଏବଂ ଘୋଡ଼ା ନାଚ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯିବ । ମଇ ୩୧ରୁ ଜୁନ୍ ୨୬ ଯାଏଁ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ଆଜି ଏ ସଂକ୍ରାନ୍ତୀୟ ବସିଥିବା ବୈଠକରେ ନିଷ୍ପତ୍ତି ନେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଶୁକ୍ରବାର ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ବେଆଇନ ନିଶା କାରବାର ଉପରେ ରୋକ୍ ଲଗାଇବା ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅବକାରୀ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅଧ୍ୟକ୍ଷତା କରି କହିଛନ୍ତି ବେଆଇନ ମାଦକ ଦ୍ରବ୍ୟ ସେବନ ଓ କାରବାର ବିରୋଧରେ ସାରା ରାଜ୍ୟରେ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରତ୍ୟେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ଗ୍ରାମପଞ୍ଚାୟତ ପର୍ଯ୍ୟନ୍ତ ରାଜ୍ୟର କୋଣ ଅନୁକୋଣରେ ସଚେତନତାର ବାର୍ତ୍ତାକୁ ପହଞ୍ଚାଇବାକୁ ପଡ଼ିବ । ପାଲା, ଦାସକାଠିଆ, ଘୋଡ଼ାନାଚ ଆଦି ସହ ବିଭିନ୍ନ ହାଟବଜାର ଅଞ୍ଚଳରେ ପଥପ୍ରାନ୍ତ ନାଟକ ଜରିଆରେ ବେଆଇନ ନିଶା ସେବନ କାରବାରର କୁପରିଣତି ନେଇ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମକୁ ସଫଳ କରିବାକୁ ହେବ । ଏଥି ସହ ଜିଲ୍ଲା, ଉପଖଣ୍ଡ ଓ ବ୍ଲକ୍ ସ୍ତରରେ ସଚେତନତା ରଥ ଜରିଆରେ ସବୁବର୍ଗଙ୍କୁ ସଚେତନ କରାଇବା ନେଇ ଉପସ୍ଥିତ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍ତି । ଏଥିସହ ପ୍ରତ୍ୟେକ ଦିନ କ'ଣ ସବୁ କାର୍ଯ୍ୟକ୍ରମ କରାଯିବ ସେଥିନେଇ ତାଲିକା ପ୍ରସ୍ତୁତ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
ବିଭିନ୍ନ ବିଭାଗ ସମନ୍ୱୟରେ ହେବ ବିସ୍ତୃତ କାର୍ଯ୍ୟକ୍ରମ
ପାଲା, ଦାସକାଠିଆ, ଘୋଡ଼ାନାଚ ଓ ପଥପ୍ରାନ୍ତ ନାଟକ ଜରିଆରେ କରାଯିବ ସଚେତନ
ବିଦ୍ୟାଳୟସ୍ତରରେ ହେବ ପ୍ରବନ୍ଧ ପ୍ରତିଯୋଗିତା
ଜିଲ୍ଲା, ଉପଖଣ୍ଡ ଓ ବ୍ଲକ୍ରେ ବୁଲିବ ସଚେତନତା ରଥ
ବେଆଇନ ମାଦକ ଦ୍ରବ୍ୟ କାରବାର ଓ ଗଞ୍ଜେଇ ଚାଷ ରୋକିବାକୁ ନିଆଯିବ ପଦକ୍ଷେପ
ଏ ଦିଗରେ ଅଧିକ କାର୍ଯ୍ୟକରି ରାଜ୍ୟରୁ ବେଆଇନ ମାଦକ ଦ୍ରବ୍ୟ କାରବାରକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଆମ ସମସ୍ତଙ୍କୁ ଉଦ୍ୟମ କରିବାକୁ ପଡ଼ିବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।
ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୂଜା ଗ୍ରାମାଞ୍ଚଳରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରି ବିଦ୍ୟାଳୟ ସ୍ତରରେ ବେଆଇନ ନିଶା ସେବନ ସମ୍ବନ୍ଧରେ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜନ କରିବା ସହ ବେଆଇନ ମାଦକ ଦ୍ରବ୍ୟ କାରବାର ଓ ସେବନ ବିରୁଦ୍ଧରେ ନିୟମିତ ସଚେତନତା କରିବାକୁ ପରାମର୍ଶ ଦେଇଛନ୍ତି । ଅବକାରୀ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ଆୟୋଜିତ ହେବାକୁ ଥିବା ଏହି ସଚେତନତା କାର୍ଯ୍ୟକ୍ରମର ଆଭିମୁଖ୍ୟ ସହ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ବିଭାଗର ସମ୍ପୃକ୍ତି ବିଷୟରେ ବୈଠକରେ ମାନ୍ୟବର ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଏଥି ସହ ବିଭିନ୍ନ ବିଭାଗ ଜରିଆରେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ‘ଜୀବନକୁ ହଁ କୁହ, ନିଶାକୁ ନାଁ’ (Say Yes to Life, No to Drugs) ସଂକଳ୍ପ କାର୍ଯ୍ୟକ୍ରମ ଏବଂ ବେଆଇନ ନିଶା କାରବାରକୁ ରୋକିବା ଦିଗରେ ମାନସ ପୋର୍ଟାଲ(MANAS Portal) ଏବଂ ୧୯୩୩ ହେଲପ୍ଲାଇନ୍ ନମ୍ବର ଉପଯୋଗ ବିଷୟରେ ଲୋକଙ୍କୁ ସଚେତନ କରାଯିବ ।