ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଶୁକ୍ରବାର ଏକ ଅଣହିନ୍ଦୁ ବିଦେଶୀ ନାଗରିକ ଲିଙ୍ଗରାଜ ମନ୍ଦିରରେ ପ୍ରବେଶ କରିଛନ୍ତି । ଘଟଣା ଜଣାପଡ଼ିବା ପରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଛି । ଅପରପକ୍ଷେ ଅଣ ହିନ୍ଦୁ ପ୍ରବେଶ ପରେ ମନ୍ଦିରର ସୁଦ୍ଧିକରଣ କରାଯାଇଥିବା ସୂଚନା ମିଳିଛି ।
ସୂଚନାନୂସାରେ, ଆଜି ଦିନ ପ୍ରାୟ ୧୨ ଟା ୩୦ ସମୟରେ ଜଣେ ଅଣହିନ୍ଦୁ ବିଦେଶୀ ନାଗରିକ ଲିଙ୍ଗରାଜ ମନ୍ଦିରକୁ ପ୍ରବେଶ କରିଥିଲେ । ତାଙ୍କର ଗତିବିଧିକୁ ସେବାୟତ ଦେଖିବା ପରେ ସନ୍ଦେହ ସୃଷ୍ଟି ହୋଇଥିଲା । ତାଙ୍କ ପରିଚୟ ପତ୍ର ଯାଞ୍ଚ କରିବା ପରେ ସେ ରୋମାନିଆର ନାଗରିକ ହୋଇଥିବାବେଳେ ତାଙ୍କ ନାଁ ଏଣ୍ଡ୍ରି ଖ୍ରୀଷ୍ଟ୍ରିଆନ ବୋଲି ଜଣାପଡ଼ିଥିଲା । ଏହା ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଅଟକ ରଖିଥିଲା । ପୋଲିସ ତାଙ୍କର ପାସପୋର୍ଟ ଏବଂ ଭିସା ଜବତ କରିବା ସହିତ ପ୍ରାୟ ଏକ ଘଣ୍ଟା ଧରି ପଚରାଉଚରା କରିଥିଲା । ଏହା ପରେ ସମ୍ପୃକ୍ତ ବ୍ୟକ୍ତି ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ସମ୍ପୃକ୍ତ ବ୍ୟକ୍ତି ଜଣକ ମନ୍ଦିର ଭିତରକୁ କିପରି ପ୍ରବେଶ କଲେ ଏବଂ ସେଠାରେ ନିୟୋଜିତ ସୁରକ୍ଷାକର୍ମୀ କିପରି ତାଙ୍କୁ ଜାଣିପାରିଲେ ନାହିଁ ଏ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ପହଲଗାମ ଆକ୍ରମଣ ପରେ ସମସ୍ତ ପ୍ରସିଦ୍ଧ ଦେବାଳୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଥିବାବେଳେ ଲିଙ୍ଗରାଜ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।