କେନ୍ଦ୍ରାପଡ଼ା: ୮୦ ବର୍ଷୀୟ ବୃଦ୍ଧ ତଳେ ଘୁଷୁଡ଼ି ଘୁଷୁଡ଼ି ଭତ୍ତା ଟଙ୍କା ଆଣିବାକୁ ଯିବା ମାମଲାରେ ହସ୍ତକ୍ଷେପ କରିଛନ୍ତି ମାନ୍ୟବର ଉଚ୍ଚ ଅଦାଲତ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରାପଡ଼ା କୋର ଗାଁରେ ପହଁଚିଛି ପ୍ରଶାସନ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରୂପାଲୀ ପ୍ରିୟଦର୍ଶିନୀ, କେନ୍ଦ୍ରାପଡ଼ା ବିଡ଼ିଓ ଅଭିଷେକ ସ୍ୱାଇଁ ଓ ବିଏସସିଓ ସୁଦୀପ୍ତା ମହାପାତ୍ର ପ୍ରମୁଖ ପହଁଚି ସ୍ଥିତି ପରଖିଛନ୍ତି ।
ଗତକାଲି କେନ୍ଦ୍ରାପଡା ଜିଲ୍ଲା କୋର ଗାଁର ୮୦ ବର୍ଷୀୟ ବୃଦ୍ଧ ଶ୍ରୀଧର ସାହୁ ରାସ୍ତାରେ ଘୁସୁଡି ଘୁସୁଡି ଭତ୍ତା ଟଙ୍କା ଆଣିବାକୁ ଯିବା ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଏଭଳି ସମ୍ବେଦନଶୀଳ ଘଟଣାରେ ମାନ୍ୟବର ହାଇକୋର୍ଟ ହସ୍ତକ୍ଷେପ କରିଛନ୍ତି । ଆଜି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ କୋର ଗାଁରେ ପହଁଚିଛନ୍ତି । ଶ୍ରୀଧରଙ୍କ ସମ୍ପର୍କରେ ସଚିବ ଭିଡିଓ କନଫରେନ୍ସିଂ ଜରିଆରରେ ଉଚ୍ଚନ୍ୟାୟାଳୟଙ୍କୁ ଅବଗତ କରିଥିଲେ । ଭଙ୍ଗା ଘରେ ରହୁଥିବା ଶ୍ରୀଧରଙ୍କ ଘରକୁ ବିଦ୍ୟୁତ୍ ସଂଯୋଗ, ଆବାସ ଯୋଜନାରେ ପକ୍କା ଘର ଏବଂ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା । ତାଙ୍କୁ ଖୁବ ଶୀଘ୍ର ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ସ୍ଥାନୀୟ ବିଡ଼ିଓ ଓ ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି । କେବଳ ଶ୍ରୀଧର ନୁହଁନ୍ତି ଜିଲାର ସମସ୍ତ ହିତାଧିକାରୀଙ୍କୁ ଏହି ସୁବିଧା ଯୋଗାଇ ଦେବା ପାଇଁ ମଧ୍ୟ ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ବୃଦ୍ଧ ଶ୍ରୀଧର ସାହୁ ବୟସାଧିକ କାରଣରୁ ଚାଲି ପାରୁନଥିବାରୁ ତାଙ୍କ ଝିଅ ଭତ୍ତା ଟଙ୍କା ଆଣିବାକୁ ଯାଉଥିଲେ । ମାତ୍ର ପଞ୍ଚାୟତ ଅଧିକାରୀ ଚଳିତ ମାସରୁ ଝିଅକୁ ଭତ୍ତା ଦେବା ପାଇଁ ମନା କରି ଦଇଥିଲେ । ଫଳରେ ଚାଲିବାକୁ ଅକ୍ଷମ ଥିବା ଶ୍ରୀଧର ନିଜେ ତଳେ ଘୋଷାଡ଼ି ହୋଇ ପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ଆଣିବାକୁ ଯାଉଥିବାର ଦେଖିବାକୁ ମିଳିଥିଲା । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଜେ ତାଙ୍କ ପାଖକୁ ଯାଇ ଅଧା ରାସ୍ତାରେ ଭତ୍ତା ଟଙ୍କା ଦେଇଥିଲେ ।