ପୁରୀ: ପହଲଗାମ ଆକ୍ରମଣ ପରେ ପୁରୀ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ତେବେ ବାରମ୍ବାର ଶ୍ରୀମନ୍ଦିର ପରିସରରେ ଡ୍ରୋନ୍ ଉଡ଼ିବା ଘଟଣାକୁ ରୋକିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଶ୍ରୀମନ୍ଦିରର ସୁରକ୍ଷା ନିମନ୍ତେ ଆଣ୍ଟିଡ୍ରୋନ ଟେକ୍ନୋଲୋଜି ବ୍ୟବହାର କରାଯିବ । ଏ ନେଇ ପୋଲିସ ବିଭାଗ ସହିତ ଆଲୋଚନା ଚାଲିଥିବା ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ ସିଷ୍ଟମ ଲଗାଯିବ । ଏହା ଦ୍ୱାରା ଡ୍ରୋନ ଉଡ଼ୁଥିବାର ଦୃଶ୍ୟମାନ ହେଲେ ତାହାକୁ ସହଜରେ ତଳକୁ ଖସାଇ ଦିଆଯାଇପାରିବ । ଏଥିଲାଗି ଆବଶ୍ୟକ ପଡ଼ିଲେ ଶ୍ରୀମନ୍ଦିର ପ୍ରଶାସନ ଅର୍ଥ ଯୋଗାଇବ । ଏ ନେଇ ବିଚାର ଚାଲିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ସେହିପରି ରଥଯାତ୍ରାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ରାଜ୍ୟର ବିଭିନ୍ନ ଜାଗାରେ ହେଉଥିବା ରଥଯାତ୍ରା ପାଇଁ ସହାୟତା ଯୋଗାଇ ଦେବେ ସରକାର । ରାଜ୍ୟର ବିଭିନ୍ନ ଜାଗାରେ ରଥଯାତ୍ରା ହେଉଥିବା ବେଳେ ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆଇନ ବିଭାଗ ଆର୍ଥିକ ସହାୟତା ପ୍ରଦାନ କରିବ । ଦେବୋତ୍ତର ଆୟୋଗ ଅଧୀନରେ ଥିବା ଜଗନ୍ନାଥ ମନ୍ଦିରକୁ ରଥଯାତ୍ରା ପାଇଁ ଆର୍ଥିକ ସହାୟତା ମିଳିବ । ଏନେଇ ଅନେକ ଆବେଦନ ଆସିଛି ଏବଂ ଯେଉଁମାନେ ଆବେଦନ କରିନାହାନ୍ତି ତାଙ୍କ କଥା ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।