ଭୁବନେଶ୍ୱର: ଆଜିଠୁ (ଶୁକ୍ରବାର) ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଏ ଗସ୍ତ ସମୟରେ ସେ ପ୍ରମୁଖ ଜାତୀୟ ନେତାମାନଙ୍କୁ ଭେଟିବା ସହ ଉଚ୍ଚସ୍ତରୀୟ ନୀତି ଆଲୋଚନାରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।
ସୂତ୍ର ମୁତାବିକ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଏକ ପ୍ରମୁଖ କାରଣ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକାକୀ ସାକ୍ଷାତକାର କରିବା ସହ ଆସନ୍ତା ମାସରେ ହେବାକୁ ଥିବା ରାଜ୍ୟ ବିଜେପି ସରକାରଙ୍କ ପ୍ରଥମ ବାର୍ଷିକୀ ଉତ୍ସବରେ ଯୋଗଦେବା ପାଇଁ ତାଙ୍କୁ ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ କରିବେ । ଏହା ବ୍ୟତୀତ, ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଗତ ଏକ ବର୍ଷ ମଧ୍ୟରେ ତାଙ୍କ ସରକାରଙ୍କ କାର୍ଯ୍ୟଦକ୍ଷତା ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ସହ ଓଡ଼ିଶାର ଭବିଷ୍ୟତ ବିକାଶ ପାଇଁ ଏକ ରୋଡମ୍ୟାପ୍ ଉପରେ ଆଲୋଚନା କରିବା ନେଇ ସୂଚନା ମିଳିଛି ।
ସେହିପରି ଏହି ଗସ୍ତରେ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି (୨୪ ମଇ)ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗ ଦେବେ ଏବଂ ଏନଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ମଧ୍ୟ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି ।