ଢେଙ୍କାନାଳ: ଖାଦ୍ୟ ଖାଇ ସାରିବା ପରେ ଚାଲିଗଲା ଗୋଟିଏ ପରିବାର ୩ ଜଣଙ୍କ ଜୀବନ । ପାଳଙ୍ଗ ଚିକେନ୍ ଖାଇବା ପରେ ମାଆ ସହ ଦୁଇ ପୁଅଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଇଟାପା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକମାନେ ହେଲେ ଇଟାପ ଗାଁର ଅନ୍ତର୍ଯ୍ୟାମୀ ସାହୁଙ୍କ ପତ୍ନୀ ଗୋଲାପ ସାହୁ (୫୨) , ଦୁଇ ପୁଅ ପିଣ୍ଟୁ ସାହୁ (୩୦) ଓ ଲିଟୁ ସାହୁ (୨୪) ।
ରବିବାର ରାତିରେ ଅନ୍ତର୍ଯ୍ୟାମୀଙ୍କ ଘରେ ପାଳଙ୍ଗ ସାଗ ସହ ଚିକେନ୍ ତିଆରି ହୋଇଥିଲା । ସମସ୍ତେ ଖାଇ ପିଇ ଶୋଇଥିଲେ । କିନ୍ତୁ ଆଜି ସକାଳୁ ଆଉ କେହି ଉଠିନଥିଲେ । ଦୀର୍ଘ ସମୟ ଧରି ଘରର କବାଟ ନ ଖୋଲିବାରୁ ପଡୋଶୀଙ୍କ ସନ୍ଦେହ ହୋଇଥିଲା । ଏହା ପରେ ପଡ଼ୋଶୀ ନିଜେ ଘରର କବାଟ ଖୋଲିଥିଲେ । ସମସ୍ତଙ୍କୁ ଡାକିବାରୁ କେହି ନ ଉଠିବାରୁ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତାର ମାଆ ସହ ଦୁଇ ପୁଅଙ୍କୁ ମୃତ ଘୋଷଣା କରିଥିଲେ । ସମସ୍ତଙ୍କ ମୃତଦେହ ଅନୁଗେୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି । ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।
ତେବେ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖାଦ୍ୟରେ ବିଷକ୍ରିୟା ବା ଫୁଡ୍ ପଏଜନିଂ ପାଇଁ ସମସ୍ତଙ୍କର ମୃତ୍ୟୁ ହୋଇଛି ନା କେହି ଖାଦ୍ୟରେ କେହି ବିଷ ମିଶାଇଥିଲେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏବଂ ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।