ଭୁବନେଶ୍ୱର: ବିଜେଡ଼ି ପାଣ୍ଠି ଉପରେ ପାଣ୍ଡିଆନଙ୍କ ନଜରକୁ ନେଇ ଲେନିନ୍ ମହାନ୍ତି ଏବଂ ତୁମ୍ବନାଥ ପଣ୍ଡା କରିଥିବା ସମାଲୋଚନାର କାଡ଼ କାଉଣ୍ଟର କରିଛନ୍ତି ବିଧାୟକ ସରୋଜ ପାଢ଼ୀ । ଶଙ୍ଖ ଭବନରେ ଚାକିରି ବଦଳରେ ଫାର୍ମହାଉସରେ ଚାକିରି ଦେବାକୁ ଅଫର୍ କରିଛନ୍ତି ସରୋଜ ପାଢ଼ୀ ।
ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି ଏବଂ ତୁମ୍ବନାଥ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ କରିଥିବା ବ୍ୟକ୍ତିଗତ ଆକ୍ଷେପର ଜବାବ ଦେଇଛନ୍ତି ସରୋଜ ପାଢ଼ୀ । ସେ ଗୁରୁବାର କହିଛନ୍ତି, ମୁଁ ଏମିତି କଣ କହିଲି ଯେ ବିଜେଡ଼ି ସାମ୍ବାଦିକ ସମ୍ମିଳନୀ କରି ମୋତେ ବ୍ୟକ୍ତିଗତ ଆକ୍ଷେପ କଲା । ଆମ ଗଞ୍ଜାମର ସଂସ୍କୃତି ଓ ଐତିହ୍ୟ ହେଲା ଯୁଆ ଖେଳ । ଦଶହରା ସମୟରେ ଗଞ୍ଜାମରେ ସମସ୍ତେ ଯୁଆ ଖେଳନ୍ତି । ପୋଲିସ ଅନୁମତି ଥାଏ। ବିଜେଡ଼ି ନେତା ତୁମ୍ବନାଥ ପଣ୍ଡା କଣ ଜାଣିନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ସରୋଜ । କେବଳ ପାଣ୍ଡିଆନଙ୍କୁ ଖୁସି କରିବାକୁ କହିଛନ୍ତି । ଗଞ୍ଜାମରେ ତାଙ୍କୁ ଲୋକେ ଛି ଛି କରୁଛନ୍ତି ।
ସେହିପରି ଶଙ୍ଖ ଭବନରେ ସିକ୍ୟୁରିଟି ଗାର୍ଡ ଚାକିରି ଦେବା ଅଫରକୁ କାଉଣ୍ଟର ଅଫର ଦେଇଛନ୍ତି ସରୋଜ ପାଢ଼ୀ । ସେମାନେ କଣ ଚାକିରି ଦେବେ ବରଂ ତାଙ୍କ ନିଜ ଫାର୍ମହାଉସରେ ଚାକିରି ହେବାକୁ ଲେନିନ୍ ମହାନ୍ତି ଓ ତୁମ୍ବନାଥ ପଣ୍ଡାଙ୍କୁ ଅଫର୍ ଦେଇଛନ୍ତି ସରୋଜ । ଖାଲି ସେତିକି ନୁହେଁ ନିଜ ପରିବାର ସହିତ ଆସନ୍ତୁ, ପରିବାର ପ୍ରତିପୋଷଣ ଦାୟିତ୍ଵ ତୁଲାଇବାକୁ ସେ ପ୍ରସ୍ତୁତ ଥିବା କହିଛନ୍ତି ବିଧ୍ୟାୟକ ।
ଏତିକିରେ ସରୋଜଙ୍କ ଜବାବ ଶେଷ ହୋଇନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, ହେଉ ହେଉ ବିଧାୟକ ହୋଇଯିବା ମନ୍ତବ୍ୟରେ କହିଛନ୍ତି, ମୁଁ ଲଢ଼ୁଆ ନେତା, ସଙ୍ଘର୍ଷ ରୁ ଆସିଛି, ଲୋକଙ୍କ ଭଲପାଇବା ଅଛି।
ବିଜେଡ଼ି ଫଣ୍ଡ କଥାକୁ ବିଧାୟକ ପାଢ଼ୀ ପୁଣି ଥରେ ଦୋହରାଇଛନ୍ତି, ବିଜେଡ଼ି ପାର୍ଟି ଫଣ୍ଡ ନବୀନ କି ପାଣ୍ଡିଆନଙ୍କର ନୁହଁ । ପାଣ୍ଡିଆନ୍ କହୁଛନ୍ତି, ଆଇ ଆମ୍ ଡାଉନ୍ ବଟ୍ ନଟ୍ ଆଉଟ୍ । ଏହା ଜଣେ ଅଣଓଡିଆ ଭାବେ ଓଡିଆଙ୍କୁ ଅପମାନିତ କରୁଛନ୍ତି। ତାଙ୍କ ଦଳର ବରିଷ୍ଠ ନେତାଙ୍କୁ ଦୁର୍ବ୍ୟବହାର କରୁଛନ୍ତି ପାଣ୍ଡିଆନ୍। ବିଜେଡ଼ିର କଳା ଏବଂ ଧଳା ଟଙ୍କା ଉପରେ ପାଣ୍ଡିଆନଙ୍କ ନଜର ରହିଛି । ନବୀନ ପଟ୍ଟନାୟକଙ୍କ ବୟସ ନାହିଁ ତେଣୁ ପାଣ୍ଡିଆନ ପାର୍ଟି ଫଣ୍ଡ ଉପରେ ନଜର ରଖିଛନ୍ତି। କାହାକୁ ପାଣ୍ଡିଆନ ନବୀନ ପଟ୍ଟନାୟକ ପାଖ ମଡେଇ ଦେଉନାହାଁନ୍ତି । ସେଥିପାଇଁ ନବୀନଙ୍କର କେତେବେଳେ କଣ ହେଇଯିବ କହି ହବନି ବୋଲି ଆଶଙ୍କା କରିଛନ୍ତି ସରୋଜ ।