ସମ୍ବଲପୁରରେ ନବାନ୍ନ ଖାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗଣପର୍ବ ‘ନୂଆଁଖାଇ’ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ସଂସଦୀୟ କ୍ଷେତ୍ର ସମ୍ବଲପୁରକୁ ଆସିଥିଲେ। ସମ୍ବଲପୁରର ମାନେଶ୍ୱର ବ୍ଲକ ସିନ୍ଦୁରପଙ୍କ ଅଞ୍ଚଳର ଶ୍ୟାମସୁନ୍ଦର ପତିଙ୍କ ବାସଭବନରେ ସେ ନବାନ୍ନ ଖାଇ ନୂଆଁଖାଇ ପର୍ବ ପାଳନ କରିଛନ୍ତି।
ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାବାସୀଙ୍କୁ କହିଛନ୍ତି, ଆମ ରାଜ୍ୟର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ନୂଆଁଖାଇ ଚାଷୀ ଏବଂ ଚାଷର ଉନ୍ନତି ଓ ସମୃଦ୍ଧିର କଥା କୁହେ । ଏହି ପର୍ବରେ ନବାନ୍ନର ସ୍ୱତନ୍ତ୍ରତା ରହିଛି । ଐତିହାସିକ ସିନ୍ଦୁରପଙ୍କ ଅଞ୍ଚଳକୁ ଆସିଥିଲି । ଏହି ଅଞ୍ଚଳର ଶ୍ୟାମସୁନ୍ଦର ପତିଙ୍କ ପରିବାର ସଦସ୍ୟଙ୍କ ସହ ‘ନବାନ୍ନ’ ଖାଇ ନୂଆଁଖାଇ ପାଳନ କରିବା ମୋର ସୌଭାଗ୍ୟ । ନୂଆଁଖାଇ କେବଳ ଏକ ପର୍ବ ନୁହେଁ ବରଂ ଏକ ଭାବାବେଗ । ଏହି ଦିନ ଏକାଠି ହେବା ଓ ସାଥୀ ହୋଇ ନବାନ୍ନ ଖାଇବା ଏହି ପର୍ବର ବିଶେଷତା । ଆଜିଭଳି ଏକ ପବିତ୍ର ଦିନରେ ସମ୍ବଲପୁରରେ ନୂଆଁଖାଇ ପାଳନ କରି ବହୁତ ଖୁସି ଅନୁଭବ କରୁଛି। ସପରିବାର ସ୍ନେହ, ଶ୍ରଦ୍ଧା ଓ ଆତିଥେୟତା ପାଇଁ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଛନ୍ତି। ଶେଷରେ ନୂଆଁଖାଇ ସମସ୍ତଙ୍କ ପାଇଁ ସମ୍ପନ୍ନତା ଓ ସମ୍ଭାବନା ଆଣିଦେବା ସହ ମା’ ସମଲେଇ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସଫଳତା ଆଣିଦିଅନ୍ତୁ ବୋଲି ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥନା କରିଛନ୍ତି ।