ଭୁୁବନେଶ୍ୱର: ଭିକେ ପାଣ୍ଡିଆନଙ୍କୁ ପାଖାପାଖି ବର୍ଷେ ପରେ ନବୀନ ପଟ୍ଟନାୟକଙ୍କ ସହ ସାର୍ବଜନୀନ ସ୍ଥାନ ଅର୍ଥାତ ମେଡିକାଲରେ ଦେଖିବାକୁ ମିଳିବା ପରେ ବେଶ ଉଷ୍ମ ଓଡିଶା ରାଜନୀତି । ବିଶେଷ କରି ବିଜେଡିରେ ମୃଦୁ ଭୂକମ୍ପ ଅନୁଭୂତ ହେଉଛି । ନବୀନଙ୍କ ଉତ୍ତରାଧିକାରୀ ଭିକେ ପାଣ୍ଡିଆନଙ୍କ ସହଧର୍ମିଣୀ ସୁଜାତା ପାଣ୍ଡିଆନଙ୍କୁ କରାଯିବ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ଗୋଷ୍ଠୀ ପାଣ୍ଡିଆନଙ୍କ ସପକ୍ଷରେ ଥିବା ବେଳେ ବିଜେଡିର ବରିଷ୍ଠ ନେତାମାନେ ଏହାକୁ ବିରୋଧ କରୁଛନ୍ତି । ବିଜେଡିରେ ଏବେ ପାଣ୍ଡିଆନଙ୍କୁ ନେଇ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି । ଏହି କ୍ରମରେ ପାଣ୍ଡିଆନଙ୍କୁ ତେରଛା ବାଣ ମାରିଛନ୍ତି ବରିଷ୍ଠ ନେତା ଅଶୋକ ପଣ୍ଡା । ‘ଆଇ ଆମ ଡାଉନ ବଟ୍ ନଟ୍ ଆଉଟ୍’ ନିଆଁରେ ଘିଅ ଢାଳିଛନ୍ତି ଅଶୋକ ପଣ୍ଡା ।
ଗତକାଲି ବରିଷ୍ଠ ନେତା ବଦ୍ରି ପାତ୍ରଙ୍କ ପରେ ଆଜି ବରିଷ୍ଠ ନେତା ଅଶୋକ ପଣ୍ଡା ତେରଛା ବାଣ ଛାଡିଛନ୍ତି । ସେ କହିଛନ୍ତି କିଛି କହି ପାରିବିନି, ଯିଏ କହିଛନ୍ତି, ଯାହା ଉଦ୍ଦେଶ୍ୟରେ କହିଛନ୍ତି ସେ ହିଁ କହି ପାରିବେ । ନବୀନ ବାବୁ ଶିଖାଇ ନାହାନ୍ତି ବାଉଣ୍ଡରୀ ବାହାରକୁ ଯିବାକୁ । ୪୧ ପ୍ରତିଶତ ଜନାଦେଶ ପାଇଛୁ ଆଉଟ୍ ହେବାର ପ୍ରଶ୍ନ ଉଠୁନି । ନବୀନ ପଟ୍ଟନାୟକ ସାଢେ ୪ କୋଟି ଓଡିଆଙ୍କ ସଂପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହେଁ ।
ସେ କହିଛନ୍ତି, ଶ୍ରୀରାମଙ୍କ ୧୪ ବର୍ଷ ବନବାସ ବେଳେ ଲକ୍ଷ୍ମଣ ସୀତାଙ୍କ ପାଇଁ ଲକ୍ଷ୍ମଣରେଖା ଟାଣିଥିଲେ । ସବୁ କ୍ଷେତ୍ରରେ ଶୃଙ୍ଖଳା ଅନୁଶାସନର ଆବଶ୍ୟକତା ରହିଛି । ଦଳ ସମସ୍ତଙ୍କୁ ନେଇ ଚାଲିବ, ନିର୍ଦ୍ଦିଷ୍ଟ ବର୍ଗଙ୍କୁ ନେଇ ଚାଲି ପାରିବ ନାହିଁ । ଗତକାଲି ବଦ୍ରି ପାତ୍ର ମଧ୍ୟ ଅସନ୍ତୋଷ ଝାଡିଥିଲେ । ନିର୍ଦ୍ଦିଷ୍ଟ ବର୍ଗଙ୍କୁ ନେଇ ସେ ଟାର୍ଗେଟ୍ କରିଥିଲେ । ପୂର୍ବରୁ ନବୀନ ପଟ୍ଟନାୟକ ଘରୋଇ ମେଡିକାଲରେ ଚିକିତ୍ସିତ ଥିବା ସମୟରେ ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ସଂପ୍ରତି ବିଜେଡିର ରାଜନୀତିକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ।
ସୂଚନାଯୋଗ୍ୟ, ନିକଟରେ ଅସୁସ୍ଥ ହୋଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କୁ ଦେଖା କରିବାକୁ କାହାକୁ ନ ଛାଡିବା, କେବଳ ଭିକେ ପାଣ୍ଡିଆନ ଏବଂ ସୁଜାତା ପାଣ୍ଡିଆନ ରହିବା ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ଏପରିକି ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହେବା ସମୟରେ ନବୀନଙ୍କ ପାଖରେ ପାଣ୍ଡିଆନଙ୍କୁ ବାଦ୍ ଦେଲେ ବିଜେଡିର ଅନ୍ୟ କୌଣସି ନେତାଙ୍କୁ ଦେଖିବାକୁ ମିଳି ନ ଥିଲା । ଅନ୍ୟପଟେ ମେଡିକାଲ୍ ଭିତରେ ତାଙ୍କ ପତ୍ନୀ ସୁଜାତା ପାଣ୍ଡିଆନଙ୍କୁ ବିଜେଡିର କିଛି ବରିଷ୍ଠ ନେତାଙ୍କ ସହ ବସି ଆଲୋଚନା କରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଏହି ଘଟଣା ପରେ ଏବେ ଚର୍ଚ୍ଚା ସୁଜାତା ପାଣ୍ଡିଆନଙ୍କୁ ନବୀନଙ୍କ ଉତ୍ତରାଧିକାରୀ ଭାବେ ଘୋଷଣା କରାଯାଇପାରେ । ଏହାକୁ ନେଇ ବିଜେଡି ଦଳ ଭିତରେ ଗୁଞ୍ଜରଣ ଆରମ୍ଭ ହୋଇଛି ।
ଆଗରୁ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଖୋଲାଖୋଲି ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ସାରିଛନ୍ତି । ବରିଷ୍ଠ ନେତା ଅମର ପ୍ରସାଦ ଶତପଥି ମଧ୍ୟ ବିଷୋଦଗାର କରି ସାରିଛନ୍ତି । ତେବେ ସାଧାରଣ ନିର୍ବାଚନ ୨୦୨୪ରେ ଦଳର ପରାଜୟ ପରେ ଏବେ ବିଜେଡିର ବରିଷ୍ଠ ନେତାମାନେ ଭିକେ ପାଣ୍ଡିଆନଙ୍କୁ ଗ୍ରହଣ କରି ପାରୁ ନାହାନ୍ତି । କିନ୍ତୁ ଆଉ ଗୋଟିଏ ଗୋଷ୍ଠୀ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ କେହି ନିର୍ବାଚନ ଲଢି ନାହାନ୍ତି ସେହି ଗୋଷ୍ଠୀ ପାଣ୍ଡିଆନଙ୍କ ସପକ୍ଷରେ ରହିଛି । ଯଦି ଦଳରେ ଏମିତି ସ୍ଥିତି ଉପୁଜେ ବିଜେଡି ଦୁଇ ଫାଳ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ।
ଏଠାରେ କହି ରଖୁଛୁ ଯେ, ୨୦୨୪ ନିର୍ବାଚନରେ ଭିକେ ପାଣ୍ଡିଆନ ଜନତାଙ୍କ ଦ୍ୱାରା ପ୍ରତ୍ୟାଖାତ ହେବା ପରେ ନିଜର ପ୍ରତିଶ୍ରୁତି ସ୍ୱରୂପ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ । କିନ୍ତୁ ତାଙ୍କୁ ନବୀନ ନିବାସରେ ଦେଖିବାକୁ ମିଳୁଥିଲା । ସାର୍ବଜନୀନ ସ୍ଥାନରେ ନ ହେଲେ ବି ସେ ନବୀନ ପାଖରେ ସର୍ବଦା ରହି ଆସିଛନ୍ତି । ଏପରିକି ନିକଟରେ ନବୀନ ନିବାସରେ ନବୀନ ପଟ୍ଟନାୟକ ଏବଂ ତାଙ୍କ ଭାଇ ପ୍ରେମ ପଟ୍ଟନାୟକଙ୍କ ମଧ୍ୟରେ କଥାବର୍ତ୍ତା ସମୟରେ ଭିକେ ପାଣ୍ଡିଆନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଏଥିରୁ ଆପଣ ଜାଣି ପାରୁଥିବେ ନବୀନଙ୍କ ଉତ୍ତରାଧିକାରୀ କାହା ହାତକୁ ଯାଉଛି । ଭିକେ ପାଣ୍ଡିଆନ ନ ହେଲେ ବି ତାଙ୍କ ପତ୍ନୀ ସୁଜାତା ବିଜେଡି ଦଳର ମଙ୍ଗ ଧରି ପାରନ୍ତି । ତେବେ ଦେଖିବାକୁ ବାକି ରହିଲା ବିଜେଡିର ସ୍ଥିତି ଆଗକୁ କେଉଁ ଦିଗକୁ ଗତି କରୁଛି ।