ଭୁବନେଶ୍ୱର: ନବୀନ ସାଢ଼େ ଚାରି କୋଟି ଓଡ଼ିଆଙ୍କ ସମ୍ପତ୍ତି । ସେ କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହଁନ୍ତି । ସିଧାସଳଖ ନ ହେଲେ ମଧ୍ୟ ବୁଲେଇ ବଙ୍କେଇ ଏଭଳି ଏକ ବୟାନ ଦେଇଛନ୍ତି ଅଶୋକ ପଣ୍ଡା ।
ଏବେବି ନବୀନ ନିବାସରେ ନିଜର ଦବ ଦବା ରଖିଥିବା ଭିକେ ପାଣ୍ଡିଆନଙ୍କ ‘ଆଇ ଆମ୍ ଡାଉନ୍ ବଟ୍ ନଟ୍ ଆଉଟ୍’ ମନ୍ତବ୍ୟକୁ ନେଇ ବିଜେଡ଼ିରେ ନିଆଁ କୁହୁଳୁଛି । ଦଳର ବହୁ ବରିଷ୍ଠ ନେତାମାନେ ପାଣ୍ଡିଆନଙ୍କ ଉପସ୍ଥିତିକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି । କେହି କେହି ସିଧାସଳଖ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରୁଥିବାବେଳେ କେହି କେହି କଥା ଛଳରେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଅଶୋକ ପଣ୍ଡାଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି । ଅଶୋକ ବଦ୍ରି ପାତ୍ରଙ୍କ ମନ୍ତବ୍ୟକୁ ନେଇ କହିଛନ୍ତି ଯେ ଏ ବାବଦରେ ସେ କିଛି କହିପାରିବେନି । ଯିଏ (ବଦ୍ରି ପାତ୍ର) କହିଛନ୍ତି, ଯାହା ଉଦ୍ଦେଶ୍ୟରେ କହିଛନ୍ତି ସେ କହିପାରିବେ ।
କିନ୍ତୁ ଦଳୀୟ ନେତାଙ୍କୁ ସଞ୍ଜମତାର ପାଠ ପଢ଼ାଛନ୍ତି ଶ୍ରୀଯୁକ୍ତ ପଣ୍ଡା । ସୀମା ବାହାରକୁ ଯିବାକୁ ନବୀନ ବାବୁ ଶିଖାଇ ନାହାନ୍ତି । ୪୧ ପ୍ରତିଶତ ଜନାଦେଶ ପାଇଛୁ, ଆଉଟ୍ ହେବାର ପ୍ରଶ୍ନ ଉଠୁ ନାହିଁ । ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କୌଣସି ବ୍ୟକ୍ତି ବିଶେଷଙ୍କର ନୁହନ୍ତି । ଶ୍ରୀରାମଙ୍କ ୧୪ ବର୍ଷ ବନବାସ ବେଳେ ସୀତାଙ୍କ ପାଇଁ ଲକ୍ଷ୍ମଣରେଖା ଟାଣିଥିଲେ ଲକ୍ଷ୍ମଣ । ସବୁ କ୍ଷେତ୍ରରେ ଶୃଙ୍ଖଳା ଅନୁଶାସନର ଆବଶ୍ୟକତା ରହିଛି । ଦଳ ସମସ୍ତଙ୍କୁ ନେଇ ଚାଲିବ, ନିର୍ଦ୍ଦିଷ୍ଟ ବର୍ଗଙ୍କୁ ନେଇ ଚାଲିପାରିବ ନାହିଁ ବୋଲି କହିଛନ୍ତି ଅଶୋକ ।
ଗତକାଲି ବଦ୍ରି ନାରାୟଣ ପାତ୍ର କହିଥିଲେ ଯେ, ଆଇ ଆମ୍ ଡାଉନ୍ ବଟ ନଟ୍ ଆଉଟର ଅର୍ଥ କ'ଣ ମୁଁ ଜାଣେନି । ତାର ଅର୍ଥ କଣ ଯିଏ କହିଛନ୍ତି ସେ ବୁଝିଥିବେ, ଯାହାକୁ କହିଛନ୍ତି ସେ ବୁଝି ଥିବେ। ହେଲେ ଦଳର ଦାୟିତ୍ୱରେ ଥିବା ଲୋକ ନିଜ ସୀମା ଟପୁଛନ୍ତି । ସୁଜାତା କାର୍ତ୍ତିକେୟନ ଦଳକୁ ଆସିବାରେ ମନା ନାହିଁ। କିନ୍ତୁ ସମସ୍ତେ ନିଜ ସୀମା ଜାଣିବା ଆବଶ୍ୟକ । ଏଇ ସୀମା ଉଲ୍ଲଂଘନ ପାଇଁ ୨୦୨୪ ବିପର୍ଯ୍ୟୟ ହେଲା ବୋଲି କହିଥିଲେ ବଦ୍ରି । ଏହା ପୂର୍ବରୁ ମଧ୍ୟ ସାଂସଦ ଦେବାଶିଷ ସାମନ୍ତରାୟ ଏବଂ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ବୟାନ ଦେଇ ସାରିଛନ୍ତି ।