ମାଲକାନଗିରି : ଛତିଶଗଡ଼ ବିଜାପୁର ପୋଲିସକୁ ବଡ଼ ସଫଳତା ମିଳିଛି । ଅପରେସନ ମନସୁନ ଜରିଆରେ ୩୦ ଜଣ ମାଓବାଦୀ ବନ୍ଧୁକ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୨୦ ଜଣଙ୍କ ମୁଣ୍ଡରେ ୮୧ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା ।
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଜଣେ ଉତ୍ତର ବସ୍ତର ଡିଭିଜନର ଇନଚାର୍ଜ ଜଣେ, କମ୍ପାନୀ ନମ୍ବର-୨ର ୫ ଜଣ ସଦସ୍ୟ, ପ୍ଲାଟୁନ ସଦସ୍ୟ ୪ ଜଣ, ଏରିଆ କମିଟି ପାର୍ଟି ସଦସ୍ୟ ୫ ଜଣ, ପିଏଲଜିଏ ସଦସ୍ୟ ଜଣେ, ସିଏନଏମ ସଦସ୍ୟ ୨ ଜଣ, ଜନତାନା ସରକାର ଉପାଧ୍ୟକ୍ଷ ଜଣେ, ଜନତାନା ସରକାର ସଦସ୍ୟ ୫ ଜଣ, ମିଲିସିଆ ସଦସ୍ୟ ୨ ଜଣ, ଡିଏକେଏମଏସ ସଦସ୍ୟ ୨ ଜଣ ଅଛନ୍ତି । ସେହିପରି ୬ ଜଣ ୮ ଲକ୍ଷ, ୨ ଜଣଙ୍କ ନାମରେ ୫ ଲକ୍ଷ, ୧୦ ଜଣଙ୍କ ନାମରେ ୨ ଲକ୍ଷ ଏବଂ ଜଣଙ୍କ ନାମରେ ୫୦ ହଜାର ଟଙ୍କା ଘୋଷଣା କରାଯାଇଥିଲା । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ପ୍ରଶାସନ ପକ୍ଷରୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ଗତବର୍ଷ ଠାରୁ ଆଜି ପର୍ଯ୍ୟନ୍ତ ବିଜାପୁରରେ ୮୩୪ ଜଣ ମାଓବାଦୀ ଗିରଫ ହୋଇଥିବାବେଳେ ୪୯୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେହିପରି ୧୯୦ ଜଣ ମାଓବାଦୀ ଏନକାଉଣ୍ଟରରେ ନିପାତ ହୋଇଛନ୍ତି ।