ବଲାଙ୍ଗିର : ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏହି ଉତ୍ସବ ପାଳନ କରିବାକୁ ସାରା ପଶ୍ଚିମ ଓଡ଼ିଶାରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଆଜି ସକାଳୁ ବଲାଙ୍ଗିର ଜିଲ୍ଲାର ମା ଇଷ୍ଟଦେବୀ ସମଲେଇଶ୍ବରୀ ଓ ଅଧିଷ୍ଠାତ୍ରୀ ଦେବୀ ମା ପାଟଣେଶ୍ୱରୀଙ୍କ ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯାଇ ନବାନ୍ନ ଅର୍ପଣ କରାଯାଇଥିଲା । ନୀତି ନିର୍ଘଣ୍ଟ ଅନୁସାରେ ଠିକ୍ ସମୟରେ ମା ଙ୍କର ପୂଜାର୍ଚ୍ଚନା କରାଯାଇ ମା ଙ୍କ ଠାରେ ନବାନ୍ନ ଲାଗି କରାଯାଇଥିଲା । ଏହା ପରେ ସମସ୍ତେ ନବାନ୍ନ ନେଇ ନୂଆ ଖାଇଥିଲେ । ସେହିଭଳି ଶୈଳଶ୍ରୀ ପ୍ୟାଲେସ୍ ଠାରେ ମଧ୍ୟ ପାଟଣା ମହା ରାଜା ପରିବାର ତରଫରୁ ନୂଆଁଖାଇ ପାଳନ କରାଯାଇଛି । ପାଟଣା ମହାରାଜା ତଥା ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ମହାରାଣୀ ତଥା ସାଂସଦ ସଙ୍ଗୀତା ସିଂ ଦେଓ, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂ ଦେଓ, ତାଙ୍କର ଧର୍ମପତ୍ନୀ ଓ ଅନ୍ୟମାନେ ମିଶି ନୂଆ ଖାଇଥିଲେ । ରାଜ ପୁରୋହିତ ପୂଜାର୍ଚ୍ଚନା କରିବା ପରେ ସମସ୍ତେ ମିଳିମିଶି ନୂଆଁଖାଇ ପାଳନ କରିଥିଲେ । ନୂଆଁଖାଇ ଏମିତି ପର୍ବ ଯେଉଁଠି ମାନ ଅଭିମାନ ଭୁଲି ସମସ୍ତେ ମିଳିମିଶି ଏକାଠି ଏହି ପର୍ବ କୁ ପାଳନ କରନ୍ତି । ସେହିଭଳି ଭିନ୍ନ ଭିନ୍ନ ଦଳରେ ଥିଲେ ମଧ୍ୟ ରାଜା ଘର ଦୁଇଟି ପରିବାର ଏକାଠି ମିଶି ନୂଆଖାଇ ପାଳିଥିଲେ । ନୂଆଁଖାଇ ପାଇଁ ସାରା ବଲାଙ୍ଗିର ଜିଲ୍ଲାରେ ଉତ୍ସାହ ଦେଖିବାକୁ ମିଳିଛି । ଇଷ୍ଟଦେବୀ ଙ୍କୁ ପୂଜାର୍ଚ୍ଚନା କରିବା ପରେ ସମସ୍ତେ ମିଳିମିଶି ନୂଆଁଖାଇ ପାଳନ କରୁଛନ୍ତି ।